ବଲାଙ୍ଗୀର: ଆଉ କିଛିଦିନ ପରେ ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହି କୃଷି ଭିତ୍ତିକ ପର୍ବ ପାଇଁ ଏବେଠାରୁ ଆରମ୍ଭ ହେଲାଣୀ ପ୍ରସ୍ତୁତି । ନୂଆଖାଇ ପାଇଁ ପ୍ରତିବର୍ଷ ପଣ୍ଡିତ ମହାସଭା ଲଗ୍ନ ଧାର୍ଯ୍ୟ କରିଥାନ୍ତି ।
ଚଳିତ ବର୍ଷ ମଧ୍ୟ ବଲାଙ୍ଗୀର ଜିଲ୍ଲା ପାଇଁ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ଗତକାଲି ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ମଣ୍ଡଳୀ, ପଣ୍ଡିତ ମହାସଭା ର ନବାନ୍ନ କମିଟି ଏହି ଲଗ୍ନ ସ୍ଥିର କରିଛନ୍ତି । ନବାନ୍ନ କମିଟି ଇଷ୍ଟଦେବୀ ମା ସମଲେଶ୍ବରୀଓ ପାଟଣେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଲଗ୍ନ ସ୍ଥିର କରିଛନ୍ତି । ଲଗ୍ନ ଅନୁସାରେ ଆସନ୍ତା ମାସ ସେପ୍ଟେମ୍ବର 3 ତଥା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ମଙ୍ଗଳବାର ଦିନ ବିଶୁଦ୍ଧ ତୁଲା ଲଗ୍ନେ ମିଥୁନ ନବମାନସରେ ଇଷ୍ଟ ଦେବୀଙ୍କ ନିକଟରେ ନବାନ୍ନ ଲାଗିହେବ ।
ଗଣପର୍ବ ପାଇଁ ଲଗ୍ନ ସ୍ଥିର ହେବାପରେ ସାରା ବଲାଙ୍ଗୀର ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି । ନୂଆଖାଇ ପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପରମ୍ପରା ଅନୁସାରେ ସମସ୍ତ କୃଷକ ମାନେ ନିଜର ବର୍ଷର ପ୍ରଥମ ଫସଳକୁ ପ୍ରଥମେ ନିଜ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ କରିଥାନ୍ତି । ଏହାପରେ ନୂଆ ଫସଳରେ ନବାନ୍ନ ପ୍ରସ୍ତୁତ କରି ତାହାକୁ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିଲେ ମଧ୍ୟ ସମଗ୍ର ପଶ୍ଚିମ ଓଡିଶାରେ ଏହାକୁ ବେଶ ଧୂମଧାମରେ ପାଳନ କରାଯାଇଥାଏ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ