ବଲାଙ୍ଗୀର: ପୁଣି ଏକ ହୋଇଛନ୍ତି ପଶ୍ଚିମ ଓଡ଼ିଶା ଫିଲ୍ମ ଓ ଆଲବମ ନିର୍ମାତା । ବଲାଙ୍ଗୀରର ସମସ୍ତେ ଏକାଠି ହୋଇ ପୁଣି ପଶ୍ଚିମ ଓଡିଶା ନିର୍ଦ୍ଦେଶକ ସଂଘ ପୋପାର ହୋଇଛି ପୁନର୍ଗଠନ । ଦିନେ କ୍ୟାସେଟ୍ ଓ ସିଡି ବନ୍ଦ ହେବା ପରେ କ୍ଷତି ସହିଥିବା ଆଲବମ ଓ ଫିଲ୍ମ ନିର୍ମାତାମାନେ ଏବେ ଡିଜିଟାଲ ମାଧ୍ୟମରେ ପୁଣି ଲୋକଙ୍କ ପାଇଁ ଉତ୍କୃଷ୍ଟ ସିନେମା ଓ ଆଲବମ ପ୍ରସ୍ତୁତ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।
ଦଶନ୍ଧି ପୂର୍ବରୁ ପଶ୍ଚିମ ଓଡ଼ିଶାର ଗୀତ ସିନେମା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ସୁନ୍ଦର ଗୀତ, ସିନେମା ଓ ଆଲ୍ବମ୍ର ଖୁବ୍ ଲୋକପ୍ରିୟତା ରହିଥିଲା । ସେହି ସମୟରେ କଳାକାର ଓ ନିର୍ଦ୍ଦେଶକମାନେ ମଧ୍ୟ ବେଶ ଭଲ ରୋଜଗାର କରୁଥିଲେ । ହେଲେ ପାଇରେସି ସହ ସିଡି କ୍ୟାସେଟ ବନ୍ଦ ହେବା ଯୋଗୁଁ ଏହି ଇଣ୍ଡଷ୍ଟ୍ରି ପ୍ରାୟତଃ ବନ୍ଦ ହୋଇ ଯାଇଥିଲା। ଦିନେ ସବୁ ଉତ୍ସବରେ ଧୁମ୍ ମଚାଉ ଥିବା ଗୀତ ସଂଗୀତରେ ବଡ଼ ବ୍ରେକ୍ ଲାଗିଥିଲା । ଏହାର ପ୍ରଭାବରେ ଏଠାକାର କଳାକାର ଓ ନିର୍ଦ୍ଦେଶକ କ୍ଷତି ସହିଥିଲେ । ଆଜିର ଡିଜିଟାଲ ଯୁଗରେ କେମିତି ପୁଣି ସେହି ଧାରାକୁ ଫେରାଇ ଅଣାଯିବ ତା ପାଇଁ ଏମାନେ ପୁଣି ଏକାଠି ହୋଇଛନ୍ତି । ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମର ବ୍ୟବହାର ବଢିଥିବା ବେଳେ ତଦନୁସାରେ ପୁଣି ନୂଆ ଭାବରେ ପ୍ରଡକ୍ସନ କରିବାକୁ ସ୍ଥିର କରିଛନ୍ତି ଫିଲ୍ମ ଓ ଆଲବମ ନିର୍ମାତା । ଲୋକଙ୍କ ମନକୁ ଛୁଇଁଲା ପରି ଗୀତ ପ୍ରସ୍ତୁତ କରାଯିବା ସହ ଅଶ୍ଳୀଳ ସଙ୍ଗୀତ ଉପରେ ଅଙ୍କୁଶ ଲଗାଯିବା ନେଇ ବୈଠକରେ ସ୍ଥିର ହୋଇଛି ।
ନୂତନ ଭାଵରେ ନିର୍ବାଚିତ ହୋଇଥିବା ପୋପା ସଂଘର ସଭାପତି ତଥା ଶୋଭିତ ଏଣ୍ଟରଟେନମେଣ୍ଟ ମାଲିକ ସୁଧୀର ଆଚାର୍ଯ୍ୟ କହିଛନ୍ତି ଯେ, "ପାଇରେସି ସାଙ୍ଗକୁ କ୍ୟାସେଟ ସିଡି ବନ୍ଦ ହେବା ଦ୍ୱାରା ଏଠିକାର ଇଣ୍ଡଷ୍ଟ୍ରିଜ୍ ବିଲୀନ ହୋଇ ଯାଇଥିଲା । କଳାକାରଙ୍କଠୁ ଆରମ୍ଭ କରି ନିର୍ମାତା ସମସ୍ତେ ବିପୁଳ କ୍ଷତି ସହିଥିଲେ । ଲୋକ ମଧ୍ୟ ଆମ ଅଞ୍ଚଳର ସଙ୍ଗୀତ ଗୀତଠାରୁ ଦୂରେଇ ଯାଇଥିଲେ । ଏହାରି ମଧ୍ୟରେ ଭୋଜପୁରୀ ହେଉ କି ପଞ୍ଜାବୀ ସଙ୍ଗୀତର ବେଶ ଉନ୍ନତି ଘଟିଥିଲା। ଏଠାକାର ହାତ ଗଣତି ଗୀତ ରଙ୍ଗବତୀ ହେଉ କି ଅନ୍ୟ ଗୀତ ନୃତ୍ୟ ବିଶ୍ୱରେ ଏବେବି ଚାଲିଛି । ହେଲେ ଏହା ବାଦ୍ ଆଜି ବି ନୂଆ ସଙ୍ଗୀତ କିମ୍ବା ନୃତ୍ୟ ଆଉ ଲୋକ ଲୋଚନକୁ ଆସିପାରୁ ନାହିଁ । ତେଣୁ ଏଠାକାର ପାରମ୍ପରିକ ମାଇଲା ଜଡ଼, ଚୁଟୁକୁଚୁଟା, ରସରକେଲି ଭଳି ଗୀତ ନୃତ୍ୟ ପୁଣି ତିଆରି ହେବ ଓ ଡିଜିଟାଲ ତଥା ସାମାଜିକ ଗଣ ମାଧ୍ୟମ ଦ୍ୱାରା ଲୋକଙ୍କ ପାଖକୁ ପହଞ୍ଚିବ ।"
ସେହିପରି ଏହି ସଂଘର ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ସାହୁ କହିଛନ୍ତି ଯେ, "ଏହି ସଂଘ ଏବେ ପୁଣି ଗଠିତ ହୋଇଛି । ପୁଣି ଆଲବମ ଓ ସିନେମା ତିଆରି କରାଯିବ । ଏହି ସଂଘ ପୂର୍ବରୁ ଯେମିତି ପାଇରେସି ଉପରେ ପଦକ୍ଷେପ ନେଇଥିଲା ଏବେ ଡିଜିଟାଲ କିମ୍ବା ସାମାଜିକ ଗଣ ମାଧ୍ୟମରେ ଏହାର ବେଆଇନ ସେୟାରିଂ ଉପରେ ମଧ୍ୟ ପଦକ୍ଷେପ ନିଆଯିବ ।"
ଇଟିଭି ଭାରତ, ବଲାଙ୍ଗୀର