ବଲାଙ୍ଗୀର: ପ୍ରଶାସନର ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଲେ ପଥର ଖାଦାନର ମାଲିକ । ପଥର ଖାଦାନ ସିଲ ସତ୍ତ୍ବେ ମଧ୍ୟ ଚାଲିଛି ବେଆଇନ ପଥର ଖନନ । ଫଳରେ ବେଆଇନ ଖନନ ସାଙ୍ଗକୁ ବିସ୍ପୋରଣରେ ଅତିଷ୍ଠ ହୋଇଛନ୍ତି ଗ୍ରାମବାସୀ । ଧନ ଜୀବନ ହାନି ସତ୍ତ୍ବେ ମଧ୍ୟ ବନ୍ଦ ହେଉନି ବେଆଇନ ଖନନ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଗୋହିରା ମୁଣ୍ଡା ଗ୍ରାମରୁ ଆସିଛି ଏପରି ଅଭିଯୋଗ । ସୁରେଶ କୁମାର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ବେଆଇନ ଭାବରେ ଦୁଇ ଦୁଇଟି ପଥର ଖାଦାନରେ ବେଆଇନ ଖନନ କରୁଥିବା ଅଭିଯୋଗ ହୋଇଛି । ଏପରିକି ବେଆଇନ ଖନନ ସାଙ୍ଗକୁ ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଜଙ୍ଗଲ ନଷ୍ଟ ହେବା ସହ ଆଖପାଖ ଗ୍ରାମ ଗୁଡ଼ିକ ପ୍ରଭାବିତ ହେଉଥିବାର ଗ୍ରାମବାସୀ ଅଭିଯୋଗ କରନ୍ତି ।
ପ୍ରଶାସନ ପଥର ଖନନ ବନ୍ଦ ନିର୍ଦ୍ଦେଶ ପରେ ପୁଣି ଖନନ ଜାରି ରହିଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ପଥର ଖଦାନ ଗାଁ ଠାରୁ ମାତ୍ର 200 ମିଟର ଦୂରରେ ରହିଛି । ବିନା ସୂଚନାରେ ଏଠି ବେଧଡକ ଭାବେ ପଥର ବିସ୍ପୋରଣ ଯୋଗୁଁ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ବେଳେ ନିକଟରେ ସ୍କୁଲ ଥିବା ହେତୁ ଛାତ୍ରଛାତ୍ରୀଙ୍କ ଉପରେ ବିପଦ ଥିବା ପରି ମନେ ହେଉଛି । ବେଆଇନ ଖନନ ସମୟରେ କୌଣସି ପଥର ଖଣ୍ଡରେ କେତେବେଳେ ବି କାହାର ଜୀବନ ଯିବାର ଭୟ ରହିଥିବାର ଗ୍ରାମବାସୀ କହିଛନ୍ତି । ସେହିପରି ଏହି ବିସ୍ଫୋରଣ ଯୋଗୁଁ ପଥର ଓ ଧୂଳିରେ ଆଖପାଖ ବିଲ, ଜଳାଶୟରେ ବ୍ୟାପକ କ୍ଷତି ହେଉଛି । ବିନା ସୂଚନାରେ ବଡ଼ ବଡ ବିସ୍ପୋରଣ ଯୋଗୁଁ ଏଠି ସାଗର ଭୋଇ ବୋଲି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯଦୁ ଧାରୁଆ ଗୁରୁତର ଆହତ ମଧ୍ୟ ହୋଇଥିଲେ। । ତେଣୁ ଏହାକୁ ବନ୍ଦ କରିବାକୁ ଦାବି ହୋଇଛି ।
ସୂଚନା ଅନୁସାରେ, ଏହି ପଥର ଖଦାନ ସୁରେଶ କୁମାର ଅଗ୍ରୱାଲ ଲିଜ ସୂତ୍ରରେ ନେଇ ଖନନ କରୁଥିଲେ । ହେଲେ ଅନୁମତି ଠାରୁ ଅଧିକ 20 ହଜାର 999 କ୍ୟୁବିକ ମିଟର ଅଧିକ ଖନନ ବା ଚୋରି କରିଥିବାର ପ୍ରଶାସନ ଧରିଥିଲା। ଯାହା ପରେ ଏହି ପଥର ଖଦାନ ସିଲ୍ କରାଯିବ ସହ ଏହାର ଲିଜ ଧାରୀ ଉପରେ 49 ଲକ୍ଷ ଟଙ୍କାର ଫାଇନ୍ ହୋଇଥିଲା । ହେଲେ ଏସବୁ ଫୁ କରି ଏବେବି ପଥର ଖନନ ବେଧଡକ ଭାବରେ ଚାଲିଛି।
ଏନେଇ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ କହିଛନ୍ତି ଯେ, '' ପଥର ଖାଦାନ ପାଇଁ ପୂର୍ବରୁ ସୁରେଶ କୁମାର ଅଗ୍ରୱାଲଙ୍କୁ ଅନୁମତି ଦିଆଯାଇଥିଲା । କିନ୍ତୁ ଏଠାରେ ବଡ଼ ଚୋରି ହେଉଥିବାର ଅଭିଯୋଗ ଆସିବା ପରେ ତହସିଲଦାର ଓ ଓଡ଼ିଶା ଜିଓଲୋଜି ବିଭାଗ ଡ଼ାଇରେକ୍ଟର ମିଳିତ ଭାବରେ ଏହାର ତଦନ୍ତ କରିଥିଲେ । ପରେ 20 ହଜାର 999 କ୍ୟୁବିକ୍ ମିଟର ଅଧିକ ଖନନ ହୋଇଥିବାର ଜାଣିବାକୁ ପାଇଥିଲେ । ଏହାପରେ ପଥର ଖାଦାନକୁ ସିଲ୍ କରାଯିବା ସହ ଏହାର ଲିଜଧାରୀ ଉପରେ 49 ଲକ୍ଷ ଟଙ୍କା ଫାଇନ କରାଯାଇଥିଲା। ହେଲେ ଏଯାଏଁ ଫାଇନ ଟଙ୍କା ଆଦାୟ ହୋଇନଥିବା ବେଳେ ସେ ପୁଣି କେମିତି ଏଠି ଖନନ କରୁଛନ୍ତି ତାହା ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଲକ୍ଷ୍ମଣ ମାଝୀ । ''
ତେବେ ପ୍ରଶାସନର ଖନନ ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ଏଠି କେମିତି ପଥର ଖନନ ଚାଲିଛି ତାକୁ ନେଇ ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି । ଏହାକୁ ବିରୋଧ କଲେ ଗ୍ରାମବାସୀଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ଏଭଳି ସ୍ଥିତିରେ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ,ବଲାଙ୍ଗୀର