ବଲାଙ୍ଗୀର: ଜିଲ୍ଲାରେ ନଦୀ ନାଳ ଅନେକ ଥିଲେ ମଧ୍ୟ ପାଣିର ସଦ ଉପଯୋଗ ହୋଇପାରୁ ନାହିଁ। ଯାହାଫଳରେ ବଲାଙ୍ଗୀରର ଜଳସେଚନ ହାର ତିନି ପ୍ରତିଶତରେ ହିଁ ସୀମିତ ରହିଛି। ସେପଟେ କିଛି ସ୍ଥାନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଛୋଟ ଛୋଟ ଆନିକଟ ତିଆରି ହୋଇଛି। ହେଲେ ନିମ୍ନ ମାନର କାମ ଯୋଗୁଁ ତାହା ବର୍ଷେରୁ ଦୁଇ ବର୍ଷ ଯାଇ ପାରୁନାହିଁ ।
ଏହିଭଳି ବଲାଙ୍ଗୀର ପୁଇଁତଲା ବ୍ଲକ ପୁଡ଼ାପାଲି ଗ୍ରାମରେ ଥିବା ଲକ୍ଷ୍ମୀ ଜୋର ନାଳ ରେ 34 ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାରେ ଏକ ବ୍ୟାରେଜ ବା ଆନିକଟ ତିଆରି ହୋଇଥିଲା। ତେବେ ଗତ 2018 ରେ ଏହା ତିଆରି ହୋଇଥିବା ବେଳେ ଗତ ବର୍ଷରେ ଏହା ଧୋଇ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।
ତେବେ ଏହି ଆନିକଟ ଯୋଗୁଁ ଅଞ୍ଚଳରେ ଭଲ ଚାଷ ହେଉଥିବା ବେଳେ ଲୋକ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ପାଣି ବ୍ୟବହାର କରୁଥିଲେ। ହେଲେ ଅତି ନିମ୍ନ ମାନର କାମ ଯୋଗୁଁ ଏହା ବର୍ଷକ ମଧ୍ୟରେ ଭାଙ୍ଗି ଯିବାରୁ ଗ୍ରାମବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି। ଅନ୍ୟପଟେ ଏହାର ମରାମତି କିମ୍ବା ନୂତନ ବ୍ୟାରେଜ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ଠୁ ନେଇ ସରକାର ସମସ୍ତଙ୍କ ପାଖରେ ଗୁହାରି ଲଗାଇ ବିଫଳ ହୋଇଛନ୍ତି।
ଗୋଟିଏ ପଟେ ଏହି ପୁଡା ପାଳି ଗ୍ରାମରେ ମାତ୍ର ଗୋଟିଏ ପୋଖରୀ ଥିବା ବେଳେ ତାହା ମଧ୍ୟ ଶୁଷ୍କ ହୋଇ ରହୁଛି। ସେହିପରି ଗାଁ ଚାରି ପଟୁ ଲକ୍ଷ୍ମୀ ନାଳ ଯାଇଥିବା ବେଲେ ତାର ପାଣି ଏମାନଙ୍କର କୌଣସି କାମରେ ଲାଗି ପାରୁ ନ ଥିଲା। କିନ୍ତୁ ବର୍ତ୍ତମାନ ସବୁଠୁ ନିରାଶ ହେବା ପରେ ଗ୍ରାମବାସୀ ନିଜେ ଅଣ୍ଟା ଭିଡିଛନ୍ତି। ଏବଂ ଗାଁ ର ସବୁ ମହିଳା ଲୋକ ମିଶି ଏକ ବାଲି ବନ୍ଧ ନିର୍ମାଣ କରିବା ପାଇଁ ମନସ୍ଥ କରିଥିଲେ। ଯୋଜନା ମୁତାବକ ସମସ୍ତେ ନିଜର ଶ୍ରମଦାନ କରି ବାଲି ବସ୍ତା ଦେଇ ନିଜର ଆଡିବାନ୍ଧ ନିର୍ମାଣ କରିଛନ୍ତି। ଯେଉଁଥିରେ ଗାଁର ଶତାଧିକ ମହିଳା ପୁରୁଷ ଏକଜୁଟ ହୋଇ ଏହି କାମ କରି ଦେଖାଇଛନ୍ତି।
ତେବେ ଏହାଦ୍ୱାରା ଏହି ନାଳରେ ପାଣି ସଞ୍ଚୟ ହେବ ଏବଂ ଗାଁର ପାଣି ସ୍ଥର ବଢିବା ସହ ଚାଷ କାମରେ ମଧ୍ୟ ଏହି ପାଣି ବ୍ୟବହାର ହେବ । ବିଶେଷ କରି ଖରା ମାସରେ ଗ୍ରାମବାସୀ ପାଣି ପାଇଁ ହଇରାଣ ହେଉଥିବା ବେଳେ ଏହି ବାଲି ବନ୍ଧର ପାଣି ତାଙ୍କ ପାଇଁ ବେଶ ସହାୟକ ହେବ । ତେବେ ସମସ୍ତେ ମିଳି ମିଶି ଏହି କାମ ଗୋଟିଏ ଦିନରେ କରି ଦେଖାଇଛନ୍ତି। ଏବଂ ପାଣି ସଞ୍ଚୟ କରିବାର ଏହି ପ୍ରୟାସ ତଥା ପରିଶ୍ରମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ