ବଲାଙ୍ଗୀର: ବଲାଙ୍ଗୀରରେ ଆଜି ଓଡିଶା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର 17ଟି ଜିଲ୍ଲାର କର୍ମଚାରୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବଲାଙ୍ଗୀର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ( Utkala Gramya Bank) ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମଚାରୀ ଧାରଣା ଦେଇଛନ୍ତି। ତେବେ ଏମାନେ ପାଞ୍ଚ ଦଫା ଦାବି ପୂରଣ ନେଇ ଏହି ଆନ୍ଦୋଳନ କରୁଛନ୍ତି ।
ଯେଉଁଥିରେ କର୍ମଚାରୀ ହୃଷୀକେଶ ପାତ୍ରଙ୍କ ନିଲମ୍ବନ ପ୍ରତ୍ୟାହାର, ଚାକିରି ସମୟରେ ମୃତ୍ୟୁ ହୋଇଥିବା କର୍ମଚାରୀଙ୍କ ପରିବାର ବର୍ଗଙ୍କୁ ଚାକିରି, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରି ସବୁ ସୁବିଧା, ଚାକିରିରେ କର୍ମଚାରୀଙ୍କୁ ବିଭିନ୍ନ ଭତ୍ତା ପ୍ରଦାନ ସହ ନିକଟରେ ଶହେ ଜଣ କର୍ମଚାରୀଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି ଏମାନେ କରିଛନ୍ତି ।
ଏଥିପାଇଁ ଏମାନେ ଆଜିଠାରୁ ଚାରି ଦିନିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଯେଉଁଥିରେ ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର 17ଟି ଜିଲ୍ଲାର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଦାବି ପୂରଣ ନହେଲେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ