ବଲାଙ୍ଗୀର: ମାନବ ସେବା ହିଁ ମାଧବ ସେବା । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଦୁଇ ଗର୍ଭବତୀ ସ୍ବାସ୍ଥକର୍ମୀ । କୋରୋନା ସହିତ ସାରା ଦେଶ ଲଢେଇ କରୁଛି । ଏହି ଲଢେଇରେ ନିଜକୁ ସାମିଲ କରିଛନ୍ତି ଦୁଇ ସ୍ବାସ୍ଥକର୍ମୀ । ସମ୍ମୁଖ ଯୋଦ୍ଧା ଭାବରେ ଲୋକଙ୍କୁ ନିରନ୍ତର ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି ବଲାଙ୍ଗୀର ଜିଲ୍ଲାର ଦୁଇ ଗର୍ଭବତୀ ସ୍ବାସ୍ଥ୍ଯକର୍ମୀ ପ୍ରଗତି ପୁଟେଲ ଓ ଜ୍ୟୋସ୍ନାମୟୀ ତାଣ୍ଡି ।
ଉଭୟ ସାତମାସର ଗର୍ଭବତୀ । ହେଲେ ସମସ୍ତ ଯନ୍ତ୍ରଣାକୁ ଭୁଲି କୋରୋନା ରୋଗୀଙ୍କ ସେବାରେ ଲାଗିପଡିଛନ୍ତି ଉଭୟେ । ବଲାଙ୍ଗୀର ଖପ୍ରାଖୋଲ ନିବାସୀ ପ୍ରଗତି ପୁଟେଲ ଏବେ ସାତମାସର ଗର୍ଭବତୀ ଅଛନ୍ତି । ହେଲେ ସେ କଷ୍ଟକୁ ତାଙ୍କର ତିଳେ ହେଲେ ଖାତିର ନାହିଁ । ସବୁ କଷ୍ଟ ଭୁଲି ଲୋକଙ୍କ ସେବାରେ ଲାଗି ପଡିଛନ୍ତି ପ୍ରଗତି । ସବୁଦିନ ଶିଶୁ ଆଇସିୟୁ ୱାର୍ଡରେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସମସ୍ତ ପିଲାଙ୍କୁ ନିଜ ପିଲା ଭଳି ଭାବି ସେବା ଯୋଗାଇ ଆସୁଛନ୍ତି ପ୍ରଗତି । ସେହିପରି କୋରୋନାକୁ ଖାତିର ନ କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜର କୋଭିଡ ଆଇସୋଲେସନରେ ନିଜର କାର୍ଯ୍ୟ ତୁଲାଇ ଆସୁଛନ୍ତି ସ୍ବାସ୍ଥ୍ଯକର୍ମୀ ଜ୍ୟୋସ୍ନାମୟୀ ତାଣ୍ଡି । କୋରୋନାର ଏହି ଘଡିସନ୍ଧି ମୂହୁର୍ତ୍ତରେ ଗୋଟେ ପଟେ ମାଆ ହେବାର ଖୁସି ଅନ୍ୟପଟେ ନିଜର କର୍ତ୍ତବ୍ୟ । ନିଜର କର୍ତ୍ତବ୍ୟକୁ ବାଛି ନେଇଛନ୍ତି ଉଭୟ । ଯେଉଁ ସମୟରେ ବିଶ୍ରାମ ନେବା କଥା ସେହି ସମୟରେ ଲୋକଙ୍କ ସେବାରେ ଲାଗିପଡିଛନ୍ତି ପ୍ରଗତି ଓ ଜ୍ୟୋସ୍ନାମୟୀ । ଯାହା ତାଙ୍କୁ ବେଶ ପ୍ରଶଂସନୀୟ କରିଛି ।
ଭୟଙ୍କର ଏହି ସେବା ମନୋବୃତ୍ତି ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ପ୍ରଗତି ଓ ଜ୍ୟୋସ୍ନାମୟୀଙ୍କ ଏହି ଅସଜ ସମୟରେ କୋରୋନା ରୋଗୀଙ୍କୁ ସେବା ପ୍ରଦାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁହିଁଙ୍କୁ ପ୍ରଶଂସା କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱ୍ବାହିଦ,ଇଟିଭି ଭାରତ