ବଲାଙ୍ଗୀର: ଜିଲ୍ଲାରେ ସମିତିସଭ୍ୟାଙ୍କ ସ୍ଵାମୀ ତଥା ବିଜେଡି ନେତାଙ୍କୁ ହତ୍ୟା ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଆଉ ପାଞ୍ଚ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ଏଯାଏଁ ପୋଲିସ୍ ଘଟଣାକୁ ନେଇ ମୁହଁ ଖୋଲିନାହିଁ । ଏହା ଏକ ସୁପାରି କିଲିଂ ବୋଲି ଜଣାପଡିଛି ।
ବଗଡୋର ପଞ୍ଚାୟତର ନବ ନିର୍ବାଚିତ ସମିତିସଭ୍ୟା ବନିତା ବିଶ୍ଵାଳଙ୍କ ସ୍ଵାମୀ ଲୋକନାଥ ବିଶ୍ଵାଳଙ୍କୁ ସୋମବାର ୩ ଜଣ ଦୁର୍ବୃତ୍ତ ତାଙ୍କ ଘରେ ଗୁଳି କରି ହତ୍ୟା କରିଥିଲେ । ଘଟଣାକୁ ଏବେ ତିନି ଦିନ ବିତି ସାରିଛି । ପୂର୍ବରୁ ଲାଠୋର ପୋଲିସ୍ ୭ ଜଣଙ୍କୁ ଏହି ଘଟଣାରେ ଅଟକ ରଖି ତଦନ୍ତ ଜାରି ରଖିଥିଲା । ଆଜି(ବୁଧବାର) ଦୁଇ ଜଣ ଅଭିଯୁକ୍ତଙ୍କୁ ପାଟଣାଗଡ଼ SDJM କୋର୍ଟରେ ହାଜର କରାଯାଇଛି ।
ଏମାନଙ୍କର ଜାମିନ ନାମଞ୍ଜୁର ହେବାରୁ ଦୁଇଜଣଙ୍କୁ ପାଟଣାଗଡ଼ ଉପ କାରାଗାରକୁ ପଠାଇ ଦିଆଯାଇଛି । କୋର୍ଟ ଚାଲାଣ ହୋଇଥିବା ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ପାଟଣାଗଡ଼ର ରବି ଷଣ୍ଢ ଓ ଅନ୍ୟ ଜଣେ ପାଟଣାଗଡ଼ ଝୁଲେନ୍ର୍ ଗ୍ରାମର ସୀତାରାମ ବିନ୍ଧାଣି ବୋଲି ଜଣା ପଡ଼ିଛି । ଅନ୍ୟ ପାଞ୍ଚ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ଘଟଣା କୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ । ସୁପାରି କିଲିଂ ବୋଲି ଜଣା ପଡ଼ିଥିଲେ ସୁଦ୍ଧା କିଏ ଓ କାହିଁକି ଲୋକନାଥଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲେ ତାହା ସ୍ପଷ୍ଟ କରିନାହିଁ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ