ବଲାଙ୍ଗୀର: ଚଳିତ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଯୋଗ ଦେଇ ନ ପାରନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । ଜେଇଙ୍କୁ ଅସଦାଚରଣ କରିଥିବା ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ବିଧାୟକଙ୍କୁ ନ ମିଳିପାରେ ଜାମିନ । ହାଇକୋର୍ଟ ସ୍ଥାୟୀ ବେଞ୍ଚ ବଲାଙ୍ଗୀରରେ ସ୍ଥାପନ ପାଇଁ ଓକିଲ ସଂଘ ଜୁନ୍ 30 ପର୍ଯ୍ୟନ୍ତ ଆନ୍ଦୋଳନ କରୁଥିବାରୁ ଏପରି ସ୍ଥିତି ଉପୁଜିପାରେ । ସୂଚନା ଅନୁସାରେ, ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆଜିଠୁ(ମଙ୍ଗଳବାର) ଜୁଲାଇ 2 ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ଏହାରି ଭିତରେ ସେ ବିଧାନସଭାକୁ ଯାଇ ପାରିବେ ନାହିଁ ବୋଲି ଜଣାପଡିଛି ।
ସୂଚନା ଥାଉକି, କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରିବା ଅଭିଯୋଗରେ ବିଧାୟକ ସରୋଜ ମେହେରଙ୍କୁ ପୋଲିସ ଗିରଫ କରିଛି । ଏହାସହ ତାଙ୍କୁ ସାତଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଓକିଲ ମାନଙ୍କର ଏହି ଆନ୍ଦୋଳନ ଯଦି ବଢେ ତାହା ବିଧାୟକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ।
ସେପଟେ ଗତକାଲି(ସୋମବାର) ବିଧାୟକଙ୍କୁ ପୋଲିସ ଗିରଫ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଆଦିବାସୀ ସଂଘ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ