ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତ। ପରୀକ୍ଷା ଖାତା ଦେଖାରେ ତ୍ରୁଟି ଓ କମ ମାର୍କ ଦିଆ ଯାଇଥିବାର ଅଭିଯୋଗରେ ତାତିଲେ ଛାତ୍ରଛାତ୍ରୀ। ଭାଇସ ଚାନ୍ସଲରଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣାରେ ବସିଲେ ଛାତ୍ରଛାତ୍ରୀ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ଏହି ଅଭିଯୋଗ ଆଣିଛନ୍ତି।
ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଛାତ୍ରଛାତ୍ରୀ କରିଥିବା ଦାବି ମୁତାବକ ସେମାନେ ନିୟମିତ କଲେଜ ଯାଉଛନ୍ତି, ପରୀକ୍ଷା ଦେଉଛନ୍ତି କିନ୍ତୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧିକାରୀ ତାଙ୍କୁ କମ ମାର୍କ ଦେବା ସହ ଅନେକ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଫେଲ କରାଇଛନ୍ତି। ଏହି ଘଟଣା ବାରମ୍ବାର ଘଟୁଥିବା ବେଳେ ସେମାନେ ଅଭିଯୋଗ କଲେ କେହି ଶୁଣୁ ନଥିବାର କହିଛନ୍ତି। ଏହାସହ ସେମାନେ ଓଡି଼ଆ ମିଡିୟମର ହୋଇଥିବାରୁ ଇଂରାଜୀରେ ଦେଉଥୁବା ପରୀକ୍ଷାକୁ ଓଡ଼ିଆ ଭାଷାରେ ଦେବା ପାଇଁ ଦାବି କରିଛନ୍ତି। ସେପଟେ ଛାତ୍ରଛାତ୍ରୀମାନେ ଗରିବ ଘରୁ ଆସିଥିବା ବେଳେ ବାରମ୍ବାର ପରୀକ୍ଷା ପାଇଁ ଫର୍ମ ପୂରଣ ଟଙ୍କା ଦେବା ସେମାନଙ୍କ ପକ୍ଷେ ସମ୍ଭବ ହେଉ ନଥିବାର ଅଭିଯୋଗ କରିଛନ୍ତି। ତେଣୁ ଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ନହେବା ଯାଏଁ ଏମିତି ଆନ୍ଦୋଳନ କରିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।
ଏହା ମଧ୍ୟ ପଢ଼ନ୍ତୁ.....RHT ମେନ୍ ପରୀକ୍ଷା ଦାବିରେ OSSC କାର୍ଯ୍ୟାଳୟ ଆଗରେ ଆଶାୟୀ ପରୀକ୍ଷାର୍ଥୀଙ୍କ ଧାରଣା
ସେପଟେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିରୀକ୍ଷକ ଡ. ଅକ୍ଷୟ କୁମର ମିଶ୍ର ଛାତ୍ରଛାତ୍ରୀଙ୍କ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ତେବେ ସେମାନେ କେବଳ ଏକ ଏଜେନ୍ସି ଭାବରେ ପରୀକ୍ଷା କରାଇ ରିଜଲ୍ଟ ଦେଇଥାନ୍ତି ଏବଂ ଅଧ୍ୟାପକମାନେ ପାଠ ପଢ଼ାଇବା ସହ ଖାତା ମଧ୍ୟ ସେମାନେ ଦେଖିଥାଆନ୍ତି। ତେବେ କିଛି ସମୟରେ ତ୍ରୁଟି ଥିଲେ ତାକୁ ଶୀଘ୍ର ଠିକ କରା ଯାଇଥାଏ। ଏବେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସବୁ ଡିଗ୍ରୀ କଲେଜରେ ଯୁକ୍ତ ତିନି ଦ୍ଵିତୀୟ ସେମିଷ୍ଟର ପରୀକ୍ଷା ହୋଇଥିଲା ଏବଂ ପରୀକ୍ଷା ଖାତା ଅଧ୍ୟାପକଙ୍କ ଏକ ସ୍ୱତନ୍ତ୍ର ଟିମ ଖାତା ଦେଖିଥିଲେ। ତେବେ ବହୁ ଛାତ୍ର ଛାତ୍ରି ଏଥିରେ ଭଲ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ଅନେକ କଲେଜର ଛାତ୍ର ଛାତ୍ରୀ ଭଲ କରି ନଥିବାର ସେ କହିଛନ୍ତି। ଛାତ୍ରଛାତ୍ରୀ ଅଯୌକ୍ତିକର ଦାବି ନକରି ତାଙ୍କ ପରୀକ୍ଷା ଦେଇଥିବା ଖାତାର ଫୋଟୋ କପି ତଥା ରି-ଏଡିସନ କରି ପାରିବେ ବୋଲି ସେ କହିଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ....ଅନଲାଇନ ପରୀକ୍ଷା ଦାବିରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ଇଟିଭି ଭାରତ, ବଲାଙ୍ଗୀର