ବଲାଙ୍ଗୀର: ଜିଲ୍ଲାରେ 19ତମ ରାଜ୍ୟ ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ବା ମିଷ୍ଟର ଓ ମିସ୍ ଓଡ଼ିଶା ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି ପ୍ରତିଯୋଗିତାରେ ଭୁବନେଶ୍ବରର ବିଚିତ୍ର ନାୟକ ମିଷ୍ଟର ଓଡ଼ିଶା ଭାବରେ ବିବେଚିତ ହୋଇଥିବା ବେଳେ ଭୁବନେଶ୍ବରର ଶିବାନୀ ଦାସ ପ୍ରଥମ ମିସ୍ ଓଡ଼ିଶା ମୁକୁଟ ପିନ୍ଧିଛନ୍ତି । ବଲାଙ୍ଗୀରର କୋଶଳ କଳା ମଣ୍ଡପରେ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଏହି ପ୍ରତିଯୋଗିତାରେ ଉଭୟ ମହିଳା ଓ ପୁରୁଷ ବିଭାଗରେ ରାଜ୍ୟର 250 ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ମିସ୍ ଓଡ଼ିଶାର ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନରେ ଝାରସୁଗୁଡ଼ାର ବିଦ୍ୟା ସଲବେ ରହିଥିଲେ । ସେହିଭଳି ତୃତୀୟ ସ୍ଥାନରେ ଭୁବନେଶ୍ବରର ପ୍ରିୟଙ୍କା ଦାସ ରହିଥିଲେ । ସେହିପରି ମିଷ୍ଟର ଓଡ଼ିଶା ପ୍ରତିଯୋଗିତାରେ ବଲାଙ୍ଗୀରର ପ୍ରଶାନ୍ତ ଦାସ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ରାମ ଖର୍ସେଲ, ଓ ସଂଗ୍ରାମ ମଣ୍ଡେ ଯୁଗ୍ମ ଭାବରେ ତୃତୀୟ ସ୍ଥାନରେ ରହିଛନ୍ତି ।
ଏଠାରେ ସଫଳତା ପାଇଥିବା ପ୍ରତିଯୋଗୀ ଆଗକୁ ଜାତୀୟ ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସିଧାସଳଖ ଭାଗ ନେବେ । ଏହି ପ୍ରତିଯୋଗିତାର ଅନ୍ତିମ ଦିନରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମିଷ୍ଟର ଇଣ୍ଡିଆ ସୁରେନ୍ଦ୍ର ସିଂହଙ୍କ ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ବ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ବଲାଙ୍ଗୀର ଜିଲ୍ଲା ବଡି ବିଲ୍ଡିଂ ସମ୍ପାଦକ ସଞ୍ଜୟ ଶତପଥୀ ଓ କୋଷାଧ୍ଯକ୍ଷ ରୂପକ ବରାଳ ପ୍ରମୁଖ ଏହି ପ୍ରତିଯୋଗିତା ପରିଚାଳନା କରିଥିଲେ । ପ୍ରତିଯୋଗିତା ଦ୍ବାରା ଯୁବବର୍ଗ ସୁନ୍ଦର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଏହିଭଳି ଭାବରେ ଲୋକଙ୍କ ବିକାଶ ହେଲେ ଅଞ୍ଚଳର ମଧ୍ୟ ବିକାଶ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ