ବଲାଙ୍ଗୀର: ବଲାଙ୍ଗୀରରେ ବିକାଶ ନାଁରେ ପ୍ରଶାସନ ଗୋଟିଏ ପରେ ଗୋଟିଏ ବସ୍ତି ଉଚ୍ଛେଦ କରୁଛି। ସେପଟେ ଏଥିରେ ବିସ୍ଥାପିତ ହେବାକୁ ଥିବା ତଥା ବିସ୍ଥାପିତ ହୋଇଥିବା ଲୋକ ଆଜି(ଶୁକ୍ରବାର) ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହଜାର ହଜାର ସଂଖ୍ୟାରେ ଲୋକ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରାସ୍ତାରୋକ କରିଛନ୍ତି। ଏମାନେ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ କଚେରୀ ଛକରେ ରାସ୍ତା ଅବରୋଧ କରିଛନ୍ତି । ଉଚ୍ଛେଦ ସମ୍ପୂର୍ଣ୍ଣ ବନ୍ଦ ସହ ଉକ୍ତ ସ୍ଥାନରେ ପଟ୍ଟା ପ୍ରଦାନ କରି ଥଇଥାନ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଆନ୍ଦୋଳନରେ ହଜାର ହଜାର ମହିଳା ପୁରୁଷ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିରେ ଇନ୍ଦିରାନଗର, ଇଚ୍ଛାପଡ଼ା, ଡ୍ୟାମପଡ଼ା, ହାତୀ ଶାଳପଡା ସହ ବିଭିନ୍ନ ପଡ଼ାର ବସ୍ତି ବାସିନ୍ଦା ସାମିଲ ହୋଇଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ମଟର ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହା ପୂର୍ବରୁ ବସ୍ତି ବାସିନ୍ଦା ପୌର ପରିଷଦ ଅଫିସ୍ ଘେରାଉ କରିଥିଲେ । ଜିଲ୍ଲା ପ୍ରଶାସନର ମନମୁଖି କାର୍ଯ୍ୟର ପ୍ରତିବାଦରେ ଆନ୍ଦୋଳନ କରିବା ସହ ପୌର ଅଧିକାରୀଙ୍କୁ ଘେରିଥିଲେ ବସ୍ତି ବାସିନ୍ଦା । ଏପରିକି କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ବସ୍ତି ବାସିନ୍ଦା ଓ ପୋଲିସ ମଧ୍ୟରେ ଠେଲା ପେଲା ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ପୌର ଅଧିକାରୀଙ୍କ କଥାରେ ଅସନ୍ତୋଷ ହୋଇ ବସ୍ତିବାସିନ୍ଦା ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନ କରିଛନ୍ତି । ସେଠାରେ ରାସ୍ତା ଅବରୋଧ କରି ପ୍ରତିବାଦ କରୁଛନ୍ତି । ଜିଲ୍ଲାପାଳ ଆସି ବସ୍ତିବାସିନ୍ଦାଙ୍କ ସହ ଆଲୋଚନା ନକରିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା । ସେପଟେ ପୌର ଅଧିକାରୀ ଏନେଇ ଉପରୋକ୍ତ ଅଧିକାରୀଙ୍କୁ ଜଣାଇବାକୁ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ