ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ପୌରପରିଷଦ ପକ୍ଷରୁ ବିଭିନ୍ନ ଦୋକାନ ଗୁଡିକ ଉପରେ ଚଢ଼ଉ କରାଯାଇ ବିପୁଳ ପରିମାଣର ପଲିଥିନ ଜବତ କରାଯାଇଛି । ଏହାସହ ପଲିଥିନ ବ୍ୟବହାର କରୁଥିବା ଦୋକାନୀ ମାନଙ୍କ ପାଖରୁ ଫାଇନ ବି ଆଦାୟ କରାଯାଇଛି । ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଏହି ଚଢ଼ଉରେ ନବ ନିର୍ବାଚିତ କାଉନସିଲର ମାନେ ସାମିଲ ହୋଇଥିଲେ ।
କିଛି ଦିନ ପୂର୍ବରୁ ସହରର ବ୍ୟବସାୟୀଙ୍କୁ ଟ୍ରେଡ ଲାଇସେନ୍ସ କରିବା ସହିତ ପଲିଥିନ ବ୍ୟବହାର ନକରିବାକୁ ଚେତାବନୀ ଦିଆଯାଇଥିଲା । ଟ୍ରେଡ ଲାଇସେନ୍ସ ନକଲେ ଦୋକାନକୁ ସିଲ କରିଦିଆଯିବ ବୋଲି ସତର୍କ ମଧ୍ୟ କରାଯାଇଥିଲା । ସେହିପରି ପୌର ପରିଷଦ ପକ୍ଷରୁ ପଲିଥିନ ବର୍ଜନ ଓ ଟ୍ରେଡ ଲାଇସେନ୍ସ ପାଇଁ ଦୋକାନ ଦୋକାନ ବୁଲି ବ୍ୟବସାୟୀ ଓ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏକକ ବ୍ୟବହୃତ ପଲିଥିନ ବ୍ୟବହାର ନକରିବାକୁ ବ୍ୟବସାୟୀମାନଙ୍କୁ କୁହାଯାଇଥିଲା ।
ଆବର୍ଜନା ଓ ପରିଚାଳନା ଆଇନ-2021 ପାଇଁ ଏକକ ବ୍ୟବହୃତ ପଲିଥିନ ଆମଦାନୀ, ବ୍ୟବହାର, ମହଜୁତ ଓ ବିକ୍ରି ପାଇଁ ନିଷିଦ୍ଧ କରାଯାଇଥିଲା । ଯଦି କୌଣସି ବ୍ୟବସାୟୀ ପଲିଥିନ ବିକ୍ରି ଓ ବ୍ୟବହାର କରନ୍ତି ତେବେ ତାଙ୍କ ଟ୍ରେଡ ଲାଇସେନ୍ସ ବାତିଲ କରିଦିଆଯିବ ବୋଲି ପୌରପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବ୍ୟବସାୟୀଙ୍କୁ ସତର୍କ କରାଯାଇଥିଲା ।
ପ୍ରାୟ ଦୁଇ ସପ୍ତାହ ପରେ ଆଜି ପୌର ପରିଷଦ ପକ୍ଷରୁ ଦୋକାନ ଗୁଡିକ ଉପରେ ଚଢ଼ଉ କରି ପଲିଥିନ ଜବତ କରିବା ସହିତ ଫାଇନ ଆଦାୟ କରାଯାଇଛି । ପୌର ପରିଷଦର ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର