ବଲାଙ୍ଗୀର: ଜିଲ୍ଲାର କଣ୍ଟାବାଞ୍ଝିରେ ସିରିଜ ଲୁଟ । ଘଣ୍ଟାଏ ମଧ୍ୟରେ 7 ଲକ୍ଷ 40 ହଜାର ଟଙ୍କା ଲୁଟି ଚମ୍ପଟ ମାରିଲେ ଲୁଟେରା । ମଙ୍ଗଳବାର ବେଲପଡା ବ୍ଲକ ମଧ୍ୟପୁର ଗ୍ରାମର ରାଜାରାମ ନାଏକ କଣ୍ଟାବାଞ୍ଝି ଆନ୍ଧ୍ରା ବ୍ୟାଙ୍କରୁ ସାତ ଲକ୍ଷ ଟଙ୍କା ଉଠାଇ ନିଜ ବୋଲେରୋ ଗାଡିରେ ଫେରୁଥିବାବେଳେ ଦୁଇ ଜଣ ମୁଖା ପିନ୍ଧା ଲୁଟେରା ବାଇକରେ ଆସି ତାଙ୍କ ଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି । ସେହିପରି ସମାନ ଭାବରେ ଏହି ବ୍ୟାଙ୍କରୁ ବୁତି ଭୁଏ ନାମକ ଜଣେ ମହିଳା 40 ହଜାର ଟଙ୍କା ଉଠାଇ ନିକଟସ୍ଥ ସୁନା ଦୋକାନକୁ ଯାଉଥିବାବେଳେ ତାଙ୍କଠୁ ମଧ୍ୟ ଟଙ୍କା ଲୁଟ କରି ଦୁଇ ଜଣ ଲୁଟେରା ଛୁ ହୋଇଯାଇଛନ୍ତି ।
ଏହି ଦୁଇ ଲୁଟ ମାମଲା ସମ୍ପର୍କରେ କଣ୍ଟାବାଞ୍ଝି ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି । ବ୍ୟାଙ୍କ ତଥା ଆଖପାଖ ସିସିଟିଭ ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଛି ପୋଲିସ । ତେବେ ଏ ଯାଏଁ ବି ଲୁଟେରାଙ୍କ ସମ୍ବନ୍ଧରେ କୌଣସି ସୁରାକ ମିଳି ପାରିନାହିଁ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ