ବଲାଙ୍ଗୀର: ସହରର ପରିମଳ ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ଦେଖିବାକୁ ମିଳିଛି । ବର୍ଷାଋତୁ ଆସିବା ଆଗରୁ ଏବେ ଠୁ ଲୋକଙ୍କ ଘର ଭିତରେ ନାଳନର୍ଦ୍ଦମାର ମଇଳା ପାଣି ପଶିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ପରବର୍ତ୍ତୀ ସମୟରେ ବିଧାୟକ ନରସିଂହ ମିଶ୍ରଙ୍କୁ ଜଣାଇବା ପରେ ବିଧାୟକ ଏ ବିଷୟରେ ପୌରପାଳିକାକୁ ଏ ବିଷୟରେ ତାଗିଦ୍ କରିଛନ୍ତି । ଫଳରେ ପୌରପାଳିକା ସମସ୍ୟାର ସମାଧାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି ।
ସହରର ତଳିଆ ଅଞ୍ଚଳର ଘରମାନଙ୍କ ଆଗରେ ଆଣ୍ଠୁଏ ପାଣି ଜମିଥିବା ଦେଖିବାକୁ ମିଳିଛି । ତେବେ ଏହି ପାଣି ବର୍ଷା ଯୋଗୁଁ ନୁହେଁ ବରଂ ସହରର ଅବ୍ୟବସ୍ଥିତ ନାଳ ଯୋଗୁଁ ହେଉଥିବା ଜଣାପଡିଛି । ଏଠାରେ ଥିବା ନାଳରେ ପଙ୍କ ତଥା ଅବରୋଧ ଯୋଗୁଁ ଦୂଷିତ ପାଣି ସହର ବାହାରକୁ ନିଷ୍କାସିତ ହୋଇ ନ ପାରି ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରରେ ପଶୁଛି ।
ନର୍ଦ୍ଦମାର ପାଣି ଦୁର୍ଗନ୍ଧ ହେଉଥିବାରୁ ଲୋକେ ହଇରାଣହରକତ ହେଉଥିବା ଦେଖିବାକୁ ମିଳୁଛି । ନର୍ଦ୍ଦମାର କାଦୁଅ ଓ ଦୂଷିତ ପାଣିରେ ଲୋକେ ଯିବା ଆସିବା କରୁଛନ୍ତି । ଏଥିଯୋଗୁଁ ବିଭିନ୍ନ ପ୍ରକାରର ରୋଗ ବ୍ୟାପିବାର ମଧ୍ୟ ଭୟ ରହିଛି । ସେପଟେ ଏହାକୁ ଗୁରୁତର ସହ ନେଇଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।
ଏ ବାବଦରେ ପୌରପାଳିକାକୁ ତାଗିଦ କରିବା ସହ ଏହି ସମସ୍ୟାକୁ ଖୁବ୍ ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୌରପାଳିକା ବର୍ଷା ପୂର୍ବରୁ ଏହାର ସମାଧାନ ପାଇଁ ଚେଷ୍ଟା କରୁଥିବା ବଲାଙ୍ଗୀର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ