ବଲାଙ୍ଗୀର: ସହରର ଲାନ୍ଥ ନଦୀ ଉପରେ ଦୀର୍ଘ ଦିନରୁ ୨ଟି ପଞ୍ଚାୟତର ଲୋକେ ପୋଲ ନିର୍ମାଣ ଦାବି କରି ଆସୁଥିଲେ । ତେବେ ଆଜି(ଶୁକ୍ରବାର) ଏହି ଦୁଇ ପଞ୍ଚାୟତର ଲୋକେ ପୋଲ ଦାବି ନେଇ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ନ ହେବା ଯାଏଁ ଏମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।
ଜିଲ୍ଲାର ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଓ ଧରବଗଡ଼ ପଞ୍ଚାୟତ ମଝିରେ ଥିବା ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବି ନେଇ କରମତଲା ଓ ଧରବଗଡ଼ ପଞ୍ଚାୟତର ଲୋକେ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ପ୍ରାୟ ୭ଟି ଗ୍ରାମର ଲୋକେ ନଦୀ ପାଣିରେ ବସି ଧାରଣା ଦେଇଛନ୍ତି । କରମତଲା ଓ ଧରବଗଡ଼କୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାରେ କରମତଲା ମଧ୍ୟରେ ଏହି ନଦୀ ଉଭୟ ଅଞ୍ଚଳ ବାସୀଙ୍କୁ ଯୋଗାଯୋଗ ବିଚ୍ଛିନ୍ନ କରିଛି । ବିଶେଷ କରି କରମତଲା ଅଞ୍ଚଳର ଜନସାଧାରଣ ସ୍କୁଲ, କଲେଜ ଓ ଟିଟିଲାଗଡ ଡାକ୍ତରଖାନା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି ।
ସେହିଭଳି କରମତଲା ଅଞ୍ଚଳର ଜନସାଧାରଣ ଅନେକ ସରକାରୀ ବେସରକାରୀ ତଥା ବ୍ୟବସାୟ କାର୍ଯ୍ୟ ପାଇଁ ଟିଟିଲାଗଡ ଉପରେ ନିର୍ଭର କରିଥାନ୍ତି କିନ୍ତୁ କରମତଲା ଓ ମଧ୍ୟରେ ଲାନ୍ଥ ନଦୀ ପ୍ରଭାବିତ ହେଉଥିବାରୁ ଯାତାୟତ କରିବାରେ ଅନେକ ସମସ୍ୟାର ସୁମ୍ମୁଖୀନ ହେଉଛନ୍ତି । ବିଶେଷ କରି ବର୍ଷା ଦିନେ ୧୦ କିଲୋମିଟର ଅଯଥାରେ ସଇଁତଲା ଦେଇ ବୁଲିବାକୁ ପଡେ ।
ଏହି ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ପାଇଁ ଅନେକ ଥର ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଅନେକ ନେତା ମନ୍ତ୍ରୀଙ୍କୁ ଅଞ୍ଚଳ ଲୋକେ ଗୁହାରି କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବାରୁ ଆଜି ଜଳ ସତ୍ୟାଗ୍ରହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅଞ୍ଚଳବାସୀ, ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ