ବଲାଙ୍ଗୀର: ବେଆଇନ ମଦ କାରବାର ବନ୍ଦ ଓ ମଦଭାଟି ଅନ୍ୟତ୍ର ସ୍ଥାନାନ୍ତର ଦାବି କରି ମହିଳାଙ୍କ ମଦ ବିରୋଧି ଆନ୍ଦୋଳନ। କଣ୍ଟାବାଞ୍ଜି ସହରରେ ବେଆଇନ ଭାବେ ବିଭିନ୍ନ ପଡାରେ ଚାଲୁଥିବା ମଦ ବ୍ୟବସାୟ ଓ ସହର ଭିତରେ ଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଭାଟିକୁ ସ୍ଥାନାନ୍ତର କରିବା ଦାବି ନେଇ ମହିଳା ଅଣ୍ଟା ଭିଡ଼ିଛନ୍ତି।
ସହରର ବିଭିନ୍ନ ୱାର୍ଡର ଶତାଧିକ ମହିଳା ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ତହସିଲ ଅଫିସ ପହଞ୍ଚିଥିଲେ। ସେଠାରେ ‘ନାରୀଶକ୍ତି ଜିନ୍ଦାବାଦ’ ନାରା ଦେବା ସହ ବେଆଇନ ମଦ ବ୍ୟବସାୟ ବନ୍ଦ ଓ ମଦ ଭାଟି ସ୍ଥାନାନ୍ତର ଦାବି କରିଥିଲା । ବେଆଇନ ଭାବେ ମଦ ବ୍ୟବସାୟ ସହରର ବିଭିନ୍ନ ପଡାରେ ଚାଲୁଥିବା କାରଣରୁ ପଡାରେ ନାରୀ ସୁରକ୍ଷିତ ମନେ କରୁନାହାଁନ୍ତି।
ସହର ଭିତରେ ଦେଶୀ ମଦ ଭାଟି ଥିବା ଯୋଗୁଁ ଅନେକ ସମୟରେ ମଦ୍ୟପ ମାନେ ସ୍କୁଲ, କଲେକ ଝିଅଙ୍କୁ କମେଣ୍ଟ କରୁଛନ୍ତି । ମଦ ଯୋଗୁଁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଦେଖିବାକୁ ମିଳୁଛି । ତୁରନ୍ତ ଏହି ସବୁ ଦାବିକୁ ପୂରଣ କରାଯିବା ନେଇ ଆନ୍ଦୋଳନକାରୀ ଦାବି କରିଛନ୍ତି । କଣ୍ଟାବାଞ୍ଜି ତହସିଲଦାରଙ୍କ ଅନୁପସ୍ଥିତରେ ଅତିରିକ୍ତ ତହସିଲଦାରଙ୍କ ସହ ଆନ୍ଦୋଳନକାରୀ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବି ପତ୍ରକୁ ସରକାରଙ୍କ ପାଖକୁ ପଠାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିଲା।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ