ବଲାଙ୍ଗୀର: ଘରୋଇ ସ୍କୁଲର ମନମାନି । ଫିସ୍(Fees) ପାଇଁ ଛାତ୍ରକୁ ଦିଆଗଲା ନିର୍ଯାତନା । ଅଭିଭାବକ ଟଙ୍କା ନ ଦେଇପାରିନଥିବାରୁ ସ୍କୁଲ ବାରଣ୍ଡାରେ ଅଢେଇ ଘଣ୍ଟା ଦଣ୍ଡ ଭୋଗିଲା ଛାତ୍ର । ଅଭିଯୋଗ ପରେ ସୋମବାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ଚାଇଲ୍ଡ ଲାଇନ ବିଭାଗ । ଏହାପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
ବଲାଙ୍ଗୀରରେ ଶିକ୍ଷା ନାଁରେ ଚାଲିଛି ବ୍ୟବସାୟ । କାହାକୁ ଖାତିର ନକରି ମର୍ଜିରେ ଚାଲିଛି ସବୁ ଘରୋଇ ସ୍କୁଲ । ସ୍କୁଲ ଫି ଦେଇ ନ ପାରିବାରୁ ଦଶା ଭୋଗିଛନ୍ତି ଜଣେ ଛାତ୍ର । କ୍ଲାସ୍ରୁମରୁ ବାହାର କରି ଅଢେଇ ଘଣ୍ଟା ଧରି ଜଣେ ଛାତ୍ରଙ୍କୁ ସ୍କୁଲ ବାରଣ୍ଡାରେ ବସାଇଲେ ସ୍କୃଲ କର୍ତ୍ତୃପକ୍ଷ । ବଲାଙ୍ଗୀର ସହର ଉପକଣ୍ଠ କୁଇନ ଇଣ୍ଟରନ୍ୟାସନାଲ ସ୍କୁଲରୁ ଏପରି ସଙ୍ଗୀନ ଅଭିଯୋଗ ଆସିଛି ।
ଅଭିଯୋଗ ଅନୁଯାୟୀ, ସ୍କୁଲରେ ପ୍ରାୟ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ କୋରୋନା ମହାମାରୀ ପାଇଁ ଦେଢ ବର୍ଷ ହେଲା ଜଣେ ଛାତ୍ରର ବାପା ସ୍କୁଲ ଫିସ୍ ବୁଝାଇବାରେ ସକ୍ଷମ ହୋଇ ପାରିନଥିଲେ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ କ୍ଲାସରୁମରୁ ବାହାର କରି ବାହାର ବାରଣ୍ଡାରେ ଅଢେଇ ଘଣ୍ଟା ବସାଇଛନ୍ତି। ସ୍କୁଲ ଛୁଟି ପରେ ଛାତ୍ର ଘରକୁ ଯାଇ କାନ୍ଦିବା ସହ ପୁରା ଘଟଣା ପରିବାର ଲୋକଙ୍କୁ କହିଥିଲେ। ଏହାପରେ ସ୍କୁଲକୁ ପୀଡ଼ିତ ଛାତ୍ର ଯିବାକୁ ଆଉ ମଣୁ ନାହାଁନ୍ତି ।
ଏସବୁ ଘଟଣା ଅନ୍ୟ ସହପାଠୀଙ୍କ ସାମ୍ନାରେ ଘଟିଥିବା ଯୋଗୁଁ ଏବେ ଛାତ୍ର ଜଣକ ଘୋର ମାନସିକ ଅବସାଦରେ ଅଛନ୍ତି । ସେପଟେ ଏହାକୁ ନେଇ ଛାତ୍ରର ବାପା ଚାଇଲ୍ଡ୍ ଲାଇନ ସଦସ୍ୟଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ସ୍କୁଲର ଆଫିଲିଏସନ ମଧ୍ୟ ଅନ୍ୟ ସ୍କୁଲ ନାଁରେ ଥିବା ଚର୍ଚ୍ଚା ହେଉଛି । ନିଜ ଛାପା ବହି ଓ ବ୍ୟାଗ କିଣିବାକୁ ବାଧ୍ୟ କରାଯାଉଥିବା ନେଇ ଛାତ୍ରର ବାପା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସୋମବାର ବଲାଙ୍ଗୀର ଚାଇଲ୍ଡ ଲାଇନର ଦୁଇଜଣ ସଦସ୍ୟ କୁଇନ ଇଣ୍ଟରନ୍ୟାସନାଲ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍କୁଲରେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ଫିସ୍ ପାଇଁ ନିର୍ଯାତନା ଦିଆଯାଇଥିବା କହିଛନ୍ତି ଚାଇଲ୍ଡ୍ ଲାଇନ ସଦସ୍ୟ ଶିବାନନ୍ଦ ବେହେରା । ସରକାର ସ୍କୁଲ ପରିସର ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି କିନ୍ତୁ କୁଇନ ଇଣ୍ଟରନ୍ୟାସନାଲ ସ୍କୁଲରେ ଜଣେ ଛାତ୍ରକୁ ଫିସ୍ ପାଇଁ ବାରଣ୍ଡାରେ ବସାଇବା ଘଟଣାକୁ ଗୁରୁତର ସହ ନେଇଛି ଚାଇଲ୍ଡ ଲାଇନ ।
ସେପଟେ ସ୍କୁଲ କର୍ତ୍ତୃପକ୍ଷ ଦଣ୍ଡ ଦିଆଯାଇନାହିଁ କେବଳ କ୍ଲାସରୁମରୁ ବାହାରକୁ ଯିବା ପାଇଁ କହିଥିଲେ ବୋଲି ସଫେଇ ଦେଇଛନ୍ତି । ପ୍ରତ୍ୟକ୍ଷ ନ ହେଲେବି ପରୋକ୍ଷ ଭାବରେ ନିର୍ଯାତନା ଘଟଣାକୁ ସ୍ବୀକାର କରିଛନ୍ତି ସ୍କୁଲର ଅଧ୍ୟକ୍ଷ କୈଳାଶ ଅଗ୍ରୱାଲ ।
ପ୍ରଶ୍ନ ଉଠୁଛି, ଫିସ୍ ପାଇଁ କାହିଁକି ଦଣ୍ଡ ପାଇଲା ଜଣେ ନିରୀହ ଛାତ୍ର । ଫିସ୍ କଥା କିଏ ବୁଝିବ ଛାତ୍ର ନା ଅଭିଭାବକ ? ଫିସ୍ ପାଇଁ ଛାତ୍ରଙ୍କୁ ଦଣ୍ଡ ଦେବାର ଅଧିକାର ସ୍କୁଲ କର୍ତ୍ତୃପକ୍ଷକୁ ଦେଲା କିଏ ? ତେବେ ଏସବୁ ଗୁରୁତର ଅଭିଯୋଗ ପରେ ଆଗକୁ ପ୍ରଶାସନ ସ୍କୁଲ ବିରୋଧରେ କଣ ଆକ୍ସନ ନେଉଛି ଦେଖିବାକୁ ବାକି ରହିଲା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ