ବଲାଙ୍ଗୀର: ଜିଲ୍ଲାର ମୁଖ୍ୟ କାରାଗାରରେ ମଙ୍ଗଳବାର ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ତେବେ ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ମୁଖ୍ୟ କାରଗାରରେ ବିଚରାଧୀନ କଏଦୀ ଗଣେଶ ନାଗରଙ୍କ ମୃତ୍ୟୁ ଘଟିଛି । ତାଙ୍କ ଘର ସଦରଥାନା ଅଞ୍ଚଳର ବାରପୁରଗିଆ ଗ୍ରାମରେ ବୋଲି ଜଣାପଡିଛି । ଦେହ ଅସୁସ୍ଥ ଲାଗି ଗତ ୨୨ ତାରିଖରେ ଗଣେଶକୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଜେଲ ଅଧୀକ୍ଷକ ଉର୍ମିଳା ମିଞ୍ଜ କହିଛନ୍ତି ଜେଲ ଆସିବା ଦିନଠାରୁ ଗଣେଶଙ୍କ ମସ୍ତିଷ୍କ ଜନିତ ସମସ୍ୟା ଥିଲା।
ଗଣେଶଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ସେମାନେ ବଲାଙ୍ଗୀରକୁ ଆସିଥିଲେ ଏବଂ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ଅନୁସାରେ ଗତ ୨୦୧୮ ମସିହାରେ ପତ୍ନୀକୁ ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ