ବଲାଙ୍ଗୀର: କନିଷ୍ଠ ଯନ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ବସ୍ଉଠ୍ କରି ହରଡଘଣାରେ ପଡିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । ଯାହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ବିଧାୟକଙ୍କ ପଦ ରବ୍ଦ କରିବା ପାଇଁ ଦାବି ତେଜିଥିଲା । ତେଣେ ଘଟଣାକୁ ଗୁରତର ସହ ନେଇ ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଏନେଇ ତଦନ୍ତ ପ୍ରକ୍ରିୟା ସାରି ଜିଲ୍ଲାପାଳଙ୍କୁ ରିପୋର୍ଟ ହସ୍ତାନ୍ତର କରିଛନ୍ତି ଉପଜିଲ୍ଲାପାଳ ।
ପ୍ରକାଶ ଯେ ଗତ ବୁଧବାର ଅର୍ଥାତ ଜୁନ 5 ତାରିଖରେ ରାସ୍ତା କାମରେ ଅନିୟମିତତାକୁ ନେଇ ପାଟଣାଗଡ ବିଧାୟକ ସରୋଜ ମେହେର ସ୍ଥାନୀୟ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବିଚ୍ ରାସ୍ତାରେ ଉଠ୍ବସ୍ କରିଥିଲେ । ଯାହାକୁ ନେଇ ଆଦିବାସୀ ସଂଘଠାରୁ ଆରମ୍ଭ କରି ଜେଇ ସଂଘ ଓ ଓଡିଶା ଅମଲା ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏଥିସହ ବିଧାୟକଙ୍କ ପଦ ରବ୍ଦ କରିବା ସହ ତାଙ୍କ ବିରୋଧ ଯଥାଶୀଘ୍ର କଠୋର ପଦକ୍ଷେପ ନେବା ପାଇଁ ଦାବି ହୋଇଥିଲା ।
ସାଧାରଣରେ ଏ ପ୍ରକାର ବିରୋଧକୁ ନେଇ ସରକାରଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଥିଲା । ଏପରି ସ୍ଥିତିରେ ଉପଜିଲ୍ଲାପାଳଙ୍କୁ ଘଟଣାର ତୁରନ୍ତ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ତେବେ ଉପଜିଲ୍ଲାପାଳଙ୍କ ଠାରୁ ବର୍ତ୍ତମାନ ରିପୋର୍ଟ ପାଇବା ପରେ ଅନୁଧ୍ୟାନ କରିବା ପରେ ହିଁ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।
ତେବେ ନବୀନ ସରକାର ନିଜ ସ୍ବଚ୍ଛତାର ପ୍ରମାଣ ଦେଇ ବିଧାୟକଙ୍କ ବିରୋଧରେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ନବ ନିର୍ବାଚିତ ପାଟଣାଗଡ ବିଧାୟକ ଏବେ ତାଙ୍କ ଏହି ଆଚରଣ ପାଇଁ ଅଡୁଆରେ ପଡିଥିବା ବେଳେ ଆଗକୁ ସେ ପ୍ରଥମ କରି ବିଧାନସଭା ଗୃହକୁ ଯିବେ ନା କାରାଗାରକୁ ଯିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ