ବଲାଙ୍ଗୀର: ତୁଚ୍ଛ ହେଲା ରକ୍ତ ସମ୍ପର୍କ । ଜନ୍ମ କଲା ଅସହାୟ ବାପାର ମୃତ୍ୟୁ ପରେ ପାଖ ମାଡିଲାନି ପୁଅ । ଶେଷରେ ଶେଷକୃତ୍ୟ ସମ୍ପନ୍ନ କଲେ ସ୍ବେଚ୍ଛାସେବୀ । ବଲାଙ୍ଗୀର ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତ ତିନି ଦିନ ତଳେ ରାସ୍ତା କଡ଼ରୁ ମୂର୍ମୁଷ ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ଆଜି ଶ୍ରୀଜିଉଙ୍କ ଦୁର୍ଲଭ ପଦ୍ମବେଶ, ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ
ବଲାଙ୍ଗୀର ରେଳ ଷ୍ଟେସନ ନିକଟରେ ଚା ବିକ୍ରି କରି ଗୁଜୁରାଣ କରୁଥିଲେ ବୃଦ୍ଧ କୃଷ୍ଣ ବଗର୍ତ୍ତି । ଗତ 22 ତାରିଖରେ ସେ ରାସ୍ତା କଡ଼ରେ ମୂର୍ମୁଷ ଅବସ୍ଥାରେ ପଡ଼ି ରହିଥିଲେ । ବଲାଙ୍ଗୀର ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏନେଇ ଖବର ପାଇବା ପରେ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ତେବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଡାକ୍ତରଖାନା ନେବା ପରେ ଡାକ୍ତର ସେଠାରେ ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସର ହସ୍ତକ୍ଷେପ ପରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ବୃଦ୍ଧଙ୍କ ପରିଚିତ ତଥା ତାଙ୍କର ପୁଅକୁ ଏହାର ଖବର ଦିଆ ଯାଇଥିଲା । ହେଲେ ପୁଅ କିମ୍ବା କେହି ପରିଚିତ ମୃତଦେହ ନେବାକୁ ଆସି ନଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ବଲାଙ୍ଗୀରରେ ପହଞ୍ଚିଲା ଭାରତ ଯୋଡ଼ ଯାତ୍ରା, ମନମାଳିନ୍ୟ ଭୁଲି ଏକାଠି କଂଗ୍ରେସ ନେତା
ଏପରିକି ବୃଦ୍ଧଙ୍କ ପୁଅକୁ ଯୋଗାଯୋଗ କରିବାରୁ ସେ ଆସିପାରିବ ନାହିଁ ବୋଲି ସଫା ମନା କରିଦେଇଥିଲେ । ତେବେ ତିନି ଦିନ ଅପେକ୍ଷା ପରେ ଶେଷରେ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମୃତଦେହ ନେଇ ସ୍ଥାନୀୟ ବିଭୂତି ପଡ଼ା ଶ୍ମଶାନ ଘାଟରେ ହିନ୍ଦୁ ରୀତିନୀତିରେ ଶେଷକୃତ୍ୟ କରିଛନ୍ତି । ଆଜିର ଆଧୁନିକ ସମାଜରେ ଆତ୍ମୀୟ ଲୋକଙ୍କ ମୃତ୍ୟୁ ପରେ ତାଙ୍କୁ ପର କରିବା ଅନେକ ମାମଲା ସାମ୍ନାକୁ ଆସୁଥିବା ବେଳେ ଏହା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର