ବଲାଙ୍ଗୀର: କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଉତ୍ସବ ମୁଖର ରହିଛି ବଲାଙ୍ଗୀର ଜିଲ୍ଲା । ଆଜି ଧାର୍ଯ୍ୟ ଲଗ୍ନ ଅନୁସାରେ ଇଷ୍ଟଦେବୀ ମା' ସମଲେଇ ଓ ମାଆ ପାଟଣେଶ୍ୱରୀଙ୍କଠାରେ ଲାଗି ହୋଇଛି ନୂଆ ଅନ୍ନ ଭୋଗ ଚୁରା ଗୁଣ୍ଡା । ମା'ଙ୍କ ଠାରେ ପ୍ରଥମ ଅନ୍ନର ଭୋଗ ଲାଗି ପରେ ସାରା ଜିଲ୍ଲାବାସୀ ନିଜ ଘରେ ମିଳିମିଶି ନୂଆ ଖାଇଛନ୍ତି । ଏହି ଅବସରରେ ସବୁ ଦେବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ସାରା ପଶ୍ଚିମ ଓଡ଼ିଶାରେ କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଳନ ହେଉଛି । ବଲାଙ୍ଗୀର ଜିଲ୍ଲାବାସୀ ଏହାକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି । କମିଟି ଦ୍ୱାରା ସ୍ଥିର ହୋଇଥିବା ଲଗ୍ନ ସମୟ ମୁତାବକ ସବୁ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଛି । ତେବେ ବଲାଙ୍ଗୀର ଇଷ୍ଟଦେବୀ ମା ପାଟଣେଶ୍ୱରୀ ଓ ମା' ସମଳେଇଙ୍କ ପାଖରେ ମଧ୍ୟ ନୂଆ ଚୁରା ଗୁଣ୍ଡା ଲାଗି ହୋଇଛି । ଆଜିର ନୂଆଖାଇ ଦିନର ଅମୃତ ବେଳା ସକାଳ 10ଟା 28 ମିନିଟରୁ 10 ଟା 45 ମିନିଟ ମଧ୍ୟରେ ଏହି ଅନ୍ନ ଭୋଗ ଲାଗି ହୋଇଛି । ଯାହା ପରେ ସାରା ଜିଲ୍ଲାବାସୀ ମଧ୍ୟ ତାଙ୍କ ଘରେ ଇଷ୍ଟ ଦେବୀଙ୍କୁ ନୂଆ ଅନ୍ନ ଭୋଗ ଲାଗି କରିବା ପରେ ସମସ୍ତେ ମିଳିମିଶି ନୂଆ ଖାଇଛନ୍ତି ।
ଏହା ବି ପଢନ୍ତୁ...Nuakhai 2023: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ମୁଖ୍ୟମନ୍ତ୍ରୀ
ସେପଟେ ବଲାଙ୍ଗୀରବାସୀ ବେଣୁ ଧର ପାଣ୍ଡେ କହିଛନ୍ତି,"ନୂଆଖାଇ ପର୍ବ ପଶ୍ଚିମ ଓଡ଼ିଶାର ବଡ ପର୍ବ ଅଟେ । ତେଣୁ ପ୍ରତିବର୍ଷ, ଏହାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ଏହା ଏକ ଚାଷୀ ପର୍ବ ତଥା ଚାଷୀ ପାଇଁ ଏହାର ଯେତେ ମହତ୍ତ୍ବ ଅଛି ସେତିକି ମହତ୍ତ୍ବ ଚାକିରିଆ ଓ ଅନ୍ୟ ବର୍ଗର ଲୋକଙ୍କ ପାଇଁ ମଧ୍ୟ ରହିଥାଏ । ବାହାରେ ରହୁଥିବା ବନ୍ଧୁ ପରିଜନ ମଧ୍ୟ ଏହି ପର୍ବ ପାଳିବାକୁ ଘରକୁ ଆସିଥାନ୍ତି ।"
ଏହା ବି ପଢନ୍ତୁ...ଆଜି ଭାବର ତିହାର ନୂଆଁଖାଇ, ଦୁଲୁୁକୁଛି ପଶ୍ଚିମ ଓଡ଼ିଶା
ତେବେ ନୂଆଖାଇରେ ଚାଷୀ ନିଜ କ୍ଷେତରେ ଅମଳ କରିଥିବା ଶସ୍ୟକୁ ଭକ୍ଷଣ କରିବା ପୂର୍ବରୁ ତାକୁ ଭଗବାନଙ୍କ ନିକଟରେ ଲାଗି କରିଥାଏ । ଏହିପରିଭାବେ ମା'ଙ୍କ ନିକଟରେ ବର୍ଷ ତମାମ ପାଇଁ ସୁଖ ସମୃଦ୍ଧି ଓ ଆଶୀର୍ବାଦ ଭିକ୍ଷା କରିଥାନ୍ତି ପଶ୍ଚିମ ଓଡ଼ିଶାବାସୀ । ତେବେ ଏହି ଆବହମାନ କାଳରୁ ନୂଆଖାଇ ପର୍ବକୁ ଚାଷୀ ସହିତ ସମସ୍ତେ ମିଳିମିଶି ପାଳନ କରିଥାନ୍ତି । ନିଜ ଇଷ୍ଟ ଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତେ ମିଳିମିଶି ନୂଆ ଖାଇଥାନ୍ତି ।
ଇଟିଭି ଭାରତ, ବଲାଙ୍ଗୀର