ବଲାଙ୍ଗୀର: 10 ବର୍ଷରେ ବଲାଙ୍ଗୀରର କଣ ବିକାଶ ହୋଇଛି ତାହା ବାଲାଙ୍ଗୀରବାସୀ ଜାଣନ୍ତି । ଯେଉଁମାନେ ବଲାଙ୍ଗୀରରେ ରହୁନ୍ତି ନାହିଁ ସେମାନେ ଜାଣିପାରିବେ ନାହିଁ । ଜିଲ୍ଲାରେ ଆହୁରି ବିକାଶ ଦରକାର ରହିଛି । ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର ଅବହେଳା କରୁଛନ୍ତି । ଏହି ବିଷୟକୁ ନେଇ ଏବେ ବଲାଙ୍ଗୀର ସମେତ ସାରା ପଶ୍ଚିମ ଓଡ଼ିଶାରେ ତୁମ୍ବିତୁଫାନ୍ ଜାରି ରହିଛି । ଏହାରି ମଧ୍ୟରେ ଓଲିଉଡ଼ରେ ଉପୁଜିଥିବା ବିବାଦ ଏହାକୁ ଆହୁରି ବଳ ଦେଇଛି । ଏଭଳି ପରିସ୍ଥିତିରେ ବିକାଶ ଅବହେଳା ନେଇ ମୁହାଁମୁହିଁ ହୋଇଛନ୍ତି ବରିଷ୍ଠ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ବିଜେଡି ନେତା କଳିକେଶ ସିଂହଦେଓ । ରାଜନୈତିକ ଲୋକ ରାଜନୀତି କରିବ ନାହିଁ ତ କଣ ଚିନାବାଦମ ବିକିବ ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର ।
ବିକାଶକୁ ନେଇ ପଶ୍ଚିମ ଓଡ଼ିଶାକୁ ଅବହେଳା ଅଭିଯୋଗରେ ଏବେ ସାରା ପଶ୍ଚିମ ଓଡ଼ିଶାରେ ତୁମ୍ବି ତୁଫାନ ଜାରି । ଏଭଳି ସମୟରେ ଏହାକୁ ଆହୁରି ଗୁରୁତର କରିଛି ଓଲିଉଡ଼ କଳି । ଏପରିକି ଏହାକୁ ନେଇ ଅଲଗା ରାଜ୍ୟ କଥା ମଧ୍ୟ ଉଠିଛି । ଏହାରି ମଧ୍ୟରେ ରାଜନୀତି ପଶିବା ପରେ ଏହା ଗୁରୁତର ହୋଇଛି । ତେବେ ଏକ ସଭାରେ ନରସିଂହ ମିଶ୍ରଙ୍କ ବୟାନ ଓଡ଼ିଶା ଦୁଇ ଫାଳ ହେବ ଏବଂ ସରକାର ତା ପାଇଁ ଦାୟୀ ବୟାନକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ସେପଟେ କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ପାରୁନି ବିଜେଡି ।
ଓଲିଉଡ କଳିରେ ରାଜନୀତି ପଶିବା ପରେ ବିଜେଡି - କଂଗ୍ରେସ ନେତା ମଧ୍ୟରେ କଥା କଟାକଟି ଜାରି ରହିଛି । ସିନେ କଳାକାର ବିବାଦ ନେଇ କଳିକେଶ ସିଂହଦେଓ ଓ ବିଧାୟକ ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଓଲିଉଡ୍ ବିବାଦରେ ରାଜନୀତି ପଶିବା ପରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ କଳିକେଶ ସିଂହଦେଓ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଶସ୍ତା ରାଜନୀତି କରାଯାଉଥିବା କହିଛନ୍ତି କଳିକେଶ । ଏହାପରେ ସେପଟେ ନରସିଂହ ମିଶ୍ର କହିଛନ୍ତି, ରାଜନୀତିକ ଲୋକ ରାଜନୀତି ନକରି କ’ଣ ଚିନାବାଦାମ ବିକିବ ।
ନରସିହ ମିଶ୍ର କଳିକେଶଙ୍କୁ ପର୍ଯ୍ୟଟକ ଆଖ୍ୟା ଦେଇ କଟାକ୍ଷ କରିଛନ୍ତି । ଯେଉଁମାନେ ବଲାଙ୍ଗୀରରେ ରୁହନ୍ତି ନାହିଁ ସେମାନେ କେମିତି ଜାଣିବେ କ’ଣ ବିକାଶ ହୋଇଛି । ଗତ 10 ବର୍ଷ ଭିତରେ କଣ ବିକାଶ ହୋଉଛି ତାହା ବଲାଙ୍ଗୀରବାସୀ ଭଲ ଭାବେ ଜାଣିଛନ୍ତି । ସେହିପରି ସ୍ଵାଧୀନ ଭାରତରେ ମତବ୍ୟକ୍ତ କରିବାର ଅଧିକାର ଅଛି ଏବଂ କଳା ସଂସ୍କୃତି ଦାଦନ ବିକାଶ ବିଭିନ୍ନ ପ୍ରସଙ୍ଗରେ ଜଣେ ମତ ଦେଇ ପାରିବ ।
ଇଟିଭି ଭାରତ, ବଲାଙ୍ଗୀର