ବଲାଙ୍ଗୀର: ଚିକିତ୍ସାରେ ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ । ହସ୍ପିଟାଲରେ ଉତ୍ତେଜନା ପରେ ମୃତଦେହ ନେବାକୁ ମିଳିନା ନାହିଁ ଷ୍ଟ୍ରେଚର । ଶେଷରେ ନାବାଳକର ମୃତଦେହକୁ ହାତରେ ବୋହିଲେ ପରିବାର ଲୋକେ । ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି ଦିନେଶ ସାହୁ ।
ମିଳିଥିବା ସୂଚନା ଅନୁଯାୟୀ, ସିକ୍ଲିଂ ରୋଗରେ ପୀଡିତ ଥିବାରୁ ଗତ ଗୁରୁବାର ସନ୍ଧ୍ୟାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ଲୋଇସିଂହା ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମର 15 ବର୍ଷର ବାଳକ ଦିନେଶ ସାହୁ । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବାର 12 ଘଣ୍ଟା ପର୍ଯ୍ୟନ୍ତ ଡାକ୍ତର ପୁଅର ଚିକିତ୍ସା କରି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ପରବର୍ତ୍ତୀ ସମୟରେ ଡ଼ାକ୍ତର ନାବାଳକଙ୍କ ଦେହରେ ରକ୍ତ କମ ଥିବା କହିବା ସହ ଇଞ୍ଜେକସନ ଦେବାକୁ କହିଥିଲେ । କିନ୍ତୁ ଏଠାରେ ଦାୟିତ୍ୱରେ ଥିବା ଜଣେ ନର୍ସଙ୍କୁ ବାରମ୍ବାର ଇଞ୍ଜେକ୍ସନ ଦେବାକୁ କହିବା ପରେ ମଧ୍ୟ ଦେଢ଼ ଘଣ୍ଟା ବିଳମ୍ବରେ ନାବାଳକକୁ ଇଞ୍ଜେକସନ ଦିଆ ହୋଇଥିଲା । ଏହାପରେ ଗତକାଲି ସନ୍ଧ୍ୟା ସମୟରେ ନାବାଳକର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି ।
ଚିକିତ୍ସା ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ହୋଇଥିବା ମୃତକଙ୍କ ସମ୍ପର୍କୀୟ ଗୋବିନ୍ଦ ସାହୁ ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ କରିବା ଆବଶ୍ୟକ ବୋଲି କହିଛନ୍ତି ସମ୍ପର୍କୀୟ । ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେପଟେ ନାବାଳକର ମୃତଦେହକୁ ଡ଼ାକ୍ତରଖାନାରୁ ବାହାରକୁ ଆଣିବା ପାଇଁ ଷ୍ଟ୍ରେଚର ମିଳିନଥିଲା । ଶେଷରେ ମୃତଦେହକୁ ହତାରେ ଧରି ବାହରକୁ ଆସିଥିଲେ । ଯାହା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଖାମ ଖିଆଲି ମନୋଭାବକୁ ପଦାରେ ପକାଇଛି । ଏହାକୁ ନେଇ ମେଡିକାଲ୍ କଲେଜ କର୍ତୃପକ୍ଷ ମୁହଁ ମଧ୍ୟ ଖୋଲି ନାହାଁନ୍ତି । ତେବେ ହସ୍ପିଟାଲରେ ଅଭିଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ଏଠାରେ ଚିକିତ୍ସାରେ ଅବହେଳା କରାଯାଉଥିବା ମତ ପ୍ରକାଶ ପାଇଛି । ଯାହାଫଳରେ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିବା ଅଭିଯୋଗ ହୋଇଛି ।
ଗତବର୍ଷ ଅଗଷ୍ଟ ମାସରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭୁଲ୍ ଇଞ୍ଜେକସନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟ ଓ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଅଞ୍ଚଳବାସୀ ମଧ୍ୟ ମେଡିକାଲ ପରିସରରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲା ମେଡିକାଲ ପରିସର ।
ଇଟିଭି ଭାରତ, ବଲାଙ୍ଗୀର