ବଲାଙ୍ଗୀର: ଚାଲିଛି ଗଣତନ୍ତ୍ରର ମହାପର୍ବ । ଭୋଟ ଦେଇ ନେତା ବାଛୁଛନ୍ତି ସହରବାସୀ । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ପାଞ୍ଚଟି ପୌରାଞ୍ଚଳରେ ପୌର ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ଏଯାଏଁ ସବୁଠି ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ଚାଲିଛି । ନେତାମନ୍ତ୍ରୀଙ୍କ ଠାରୁ ସାଧାରଣ ଲୋକ ନିଜର ବହୁମୂଲ୍ୟ ଭୋଟ ଦେଇ ନିଜ ପ୍ରତିନିଧି ବାଛୁଛନ୍ତି । ଏହି କ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ନିଜ ୱାର୍ଡରେ ମତଦାନ ସାବ୍ୟସ୍ତ କରିଛନ୍ତି । ମନ୍ତ୍ରୀ ଧାଡିରେ ଛିଡା ହୋଇ ଭୋଟ ଦେଇଥିବାର ଦେଖାଯାଇଛି ।
ସୁସ୍ଥ ଗଣତନ୍ତ୍ରର ପରମ୍ପରାକୁ ସମ୍ମାନ ଜଣାଇ ନିଜ ସାର୍ବଜନୀନ ଅଧିକାର ସାବ୍ୟସ୍ତ କରିବା ସହ ନିଜ ଦଳର ପ୍ରାର୍ଥୀମାନେ ବିଜୟୀ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ଯୋଜନା, ଲୋକପ୍ରିୟତାକୁ ନେଇ ପଞ୍ଚାୟତ ନିର୍ବାଚନ ଭଳ ପୌର ନିର୍ବାଚନରେ ମଧ୍ୟ ଶାସକ ବାଜି ମାରିବ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ସେହିପରି ଆଜି ପୂର୍ବାହ୍ନ 12ଟା ସୁଦ୍ଧା ବଲାଙ୍ଗୀରରେ ୩୧.୨୭ ପ୍ରତିଶତ, ଟିଟିଲାଗଡରେ ୩୦.୬୫ ପ୍ରତିଶତ, ପାଟଣାଗଡ଼ରେ ୩୪.୭୫ ପ୍ରତିଶତ, କଣ୍ଟାବାଞ୍ଝିରେ ୩୭ ପ୍ରତିଶତ ଓ ତୁଷୁରାରେ ୪୩ ପ୍ରତିଶତ ମତଦାନ ହୋଇଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ