ବଲାଙ୍ଗୀର: ବଲାଙ୍ଗୀର ମେଡିକାଲକୁ ଅଚାନକ ଗସ୍ତ କରିଛନ୍ତି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ମେଡିକାଲରେ ପହଞ୍ଚି ସମସ୍ତ ବ୍ୟବସ୍ଥା ଯାଞ୍ଚ କରିବା ସହ ନିଜେ ରୋଗୀ ସାଜି ସବୁକିଛି ଟିକିନିକି ଯାଞ୍ଚ କରିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଯିବାର କାର୍ଯ୍ୟକ୍ରମ ଥିବାବେଳେ ଭାରତ ବନ୍ଦ ଯୋଗୁଁ ଗସ୍ତ ବାତିଲ ହୋଇଥିଲା । ତେଣୁ ସେ ଅଚାନକ ମେଡିକାଲ ଗସ୍ତରେ ଯାଇଥିବାର ଜଣାପଡିଛି । ଏହାସହ ତାଙ୍କ ହାତରେ ବ୍ୟଥା ହେଉଥିବାରୁ ସେ ଏହି ମେଡିକାଲକୁ ଯାଇ ‘ମୋ ସରକାର’ କିପରି ଚାଲିଛି ତାହା ଦେଖିବା ସହ ନିଜ ହାତ ଦେଖାଇଥିବା ମନ୍ତ୍ରୀ କହିଛନ୍ତି । ସେହିପରି ଏଠାକାର ସେବାରେ ସେ ଖୁସି ହେବା ସହ ଲୋକେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଉଥିବାର ମନ୍ତ୍ରୀ କହିଛନ୍ତି।
ତେବେ ଏଠାରେ ସେ ନିଜେ ରୋଗୀ ସାଜି ପ୍ରାୟ ଏକ ଘଣ୍ଟାକାଳ ଆଉଟଡୋର ଲାଇନରେ ଛିଡା ହୋଇ ଚିକିତ୍ସା ପାଇଁ ଟିକେଟ କାଟିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସେ ଅସ୍ଥିଶଲ୍ୟ ବିଭାଗକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ସେହିପରି ଲାଇନରେ ରହି ସେ ଏକ୍ସରେ ମଧ୍ୟ କରାଇଥିଲେ। ଏସବୁ ଭିତରେ ସେ ମନ୍ତ୍ରୀ ବୋଲି କେହି କିଛି ଜାଣି ପାରିନଥିଲେ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ