ବଲାଙ୍ଗୀର: ଖୁସିରେ ଭୋଜି ଖାଉବାକୁ ଯାଇଥିଲେ ଯୁବକ । ଭାବିଥିଲେ ବିବାହ କାର୍ଯ୍ୟରେ ଯୋଗଦେଇ ଭୋଜିଖାଇ ଘରକୁ ଫେରିବେ । ହେଲେ ବିଧିରି ବିଧାନ କିଛି ଅଲଗା ଥିଲା । ବିବାହରେ ଲାଗିଥିବା ଏକ ଟେଣ୍ଟ୍ ପାଇପକୁ ଧରିବା ମାତ୍ରେ ତାଙ୍କୁ ଶକ୍ତ ବିଦ୍ୟୁତ ଝଟକା ଲାଗିଥିଲା । ଫଳରେ ସେ ଛିଟିକି ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମୃତକ ହେଲେ ଦେଓଗାଁ ବ୍ଲକ ବହଲି ଗ୍ରାମର ପ୍ରଫୁଲ୍ଲ ସାହୁ । ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଲଗାଇଥିବା ବ୍ୟକ୍ତିଙ୍କ ଅବହେଳା ଯୋଗୁଁ ଆଜି ଏକ ବହୁମୂଲ୍ୟ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଥାନାରେ ଅଭିଯୋଗ କରିବା ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।
ସୂଚନାଅନୁସାରେ, ପ୍ରଫୁଲ ଏକ ମହିଳା ହଷ୍ଟେଲରେ ରୋଷେଇ କରି ପରିବାର ପ୍ରତିପୋଷଣ କରୁଥିଲେ । ଶନିବାର ଖରସେଲପଡ଼ାରେ ଜମେ ସମ୍ପର୍କୀୟଙ୍କ ଘରକୁ ବିବାହ ଭୋଜିରେ ଯୋଗଦେବା ପାଇଁ ଯାଇଥିଲେ । ଭୋଜି ଖାଇବା ପାଇଁ ଯିବା ସମୟରେ ସେଠାରେ ଲାଗିଥିବା ଏକ ଟେଣ୍ଟ୍ ପାଇପ ସଂସ୍ପର୍ଶ ଆସି ଯାଇଥିଲେ । ସେଠାରେ ବିଦ୍ୟୁତ ଚାର୍ଜ ରହିଥିବାରୁ ସେ ଛିଟିକି ହୋଇ ପଡିଯାଇଥିଲେ । ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ମୃତ ପ୍ରଫୁଲ୍ଲ ସାହୁ ଜଣେ ଗରିବ ଲୋକ ଥିବା ବେଳେ ମୃତ୍ୟୁ ପରେ ଏବେ ତାଙ୍କ ପାଞ୍ଚ ବର୍ଷର ଝିଅ ଓ ପାଞ୍ଚ ମାସର ଗର୍ଭବତୀ ପତ୍ନୀ ରହିଛନ୍ତି। ଏହି ଘଟଣାକୁ ନେଇ ତାଙ୍କ ପରିବାର ଲୋକେ ବିବାହରେ ବ୍ୟବହୃତ ଟେଣ୍ଟ୍ ଓ ଲାଇଟ ବାଲାକୁ ଦୋଷ ଦେଇଛନ୍ତି।
ଟେଣ୍ଟ୍ବାଲାର ଅବହେଳା ଯୋଗୁଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିବାର ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ । ତାଙ୍କୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଏମାନେ ଦାବି କରିଛନ୍ତି । ଅଭିଯୋଗକ୍ରମେ ଟାଉନଥିଲା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ।
ଏହା ମଧ୍ୟ ପଢନ୍ତୁ: ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
ଇଟିଭି ଭାରତ, ବଲାଙ୍ଗୀର