ବଲାଙ୍ଗୀର: ପୁଣି ଚିକିତ୍ସା ଅବହେଳାରୁ ଜଣଙ୍କର ମୃତ୍ୟୁ ଅଭିଯୋଗ । ବଲାଙ୍ଗୀର ଟିଟିଲାଗଡ ଡାକ୍ତରଖାନାରେ ଉତ୍ତେଜନା । ପରିବାର ଲୋକ ମୃତଦେହ ରଖି ଧାରଣାରେ ବସିବା ସହ ଡାକ୍ତରଙ୍କୁ ମାଡ ମାରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଟିଟିଲାଗଡ ନେହେରୁ ନଗର ନିବାସୀ ନାରାୟଣ ହୋତା ଗତ ରାତିରେ ଅସୁସ୍ଥ ହୋଇ ପ଼ଡ଼ିଥିଲେ । ତାଙ୍କର ବାନ୍ତି ହେବା ସହ ସେ ତଳେ ପଡି ଯାଇଥିଲେ । ପରିବାର ଲୋକେ ତାଙ୍କୁ ଟିଟିଲାଗଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ଡାକ୍ତରଖାନାରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖା ଦେଇଥିଲା ।
ପରିବାର ଲୋକେ ମୃତଦେହକୁ ଡାକ୍ତରଖାନା ପରିସରରେ ରଖି ଧାରଣା ଦେଇଥିଲେ । ଏଥିସହ ଡ଼ାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତେବେ ଘଟଣା ସ୍ଥଳରେ ଟିଟିଲାଗଡ ଏସ୍ଡିପିଓ ତଥା ଉପଜିଲ୍ଲାପାଳ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ । ଡାକ୍ତରଙ୍କୁ ଆକ୍ରମଣ ନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ଥାନରେ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଜଣାପଡିଛି ।
ମୃତକଙ୍କ ସ୍ତ୍ରୀ ଶାନ୍ତିଲତା ହୋତା କହିଛନ୍ତି, ତାଙ୍କ ସ୍ବାମୀ ଗତକାଲି ବାନ୍ତି କରି ତଳେ ପଡ଼ି ଯାଇଥିଲେ । ସେମାନେ ସଙ୍ଗେସଙ୍ଗେ ତାଙ୍କୁ ଏହି ଡ଼ାକ୍ତର ଖାନାକୁ ଆଣିଥିଲେ । ହେଲେ ଡ଼ାକ୍ତରମାନେ ଚିକିତ୍ସା ନକରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଡାକ୍ତର ତଥା ଟିଟିଲାଗଡ ଅତିରିକ୍ତ ସିଡିଏମ୍ଓ ପିକେ ପାଲ୍ କହିଛନ୍ତି, "ରୋଗୀ ଜଣକ ଗତ କାଲି ଗୁରୁତର ଅସୁସ୍ଥ ହୋଇ ଏଠାରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଯଥା ସମ୍ଭବ ଏଠି ତୁରନ୍ତ ଚିକିତ୍ସା ଦିଆ ଯାଇଥିଲା । ହେଲେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ଏହାକୁ ପରିବାର ଲୋକେ ସହଜରେ ଗ୍ରହଣ କରି ନପାରି ତାଙ୍କ ଉପରେ ଆକ୍ରମଣ କରିଥିଲେ ।" ସେହିପରି ଏହାକୁ ନେଇ ସେ ଥାନରେ ଲିଖିତ ଅଭିଯୋଗ ମଧ୍ୟ କରିଥିବା କହିଛନ୍ତି । ତେବେ ବାରମ୍ବାର ଟିଟିଲାଗଡ ଡାକ୍ତରଖାନାରେ ଡାକ୍ତରଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର ଓ ଆକ୍ରମଣ ଯୋଗୁଁ ଏଠି କୌଣସି ଡାକ୍ତର ରହିବାକୁ ଇଚ୍ଛା ପ୍ରକାଶ କରୁ ନଥିବା ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର