ନୂଆପଡା: ହାଇସ୍କୁଲ ନିର୍ମାଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲା ଡୁର୍କାମୁଣ୍ଡାରେ ହାଇସ୍କୁଲ ନଥିବାରୁ ପ୍ରାୟ ଛାତ୍ରଛାତ୍ରୀଙ୍କର ଅଧାରୁ ପାଠ ପଢାରେ ଡୋରୀ ଲାଗୁଛି । ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଡୁର୍କାମୁଣ୍ଡାରେ ହାଇସ୍କୁଲ ନିର୍ମାଣ ଦାବିରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।
ସରକାର ଶିକ୍ଷାର ମାନ ବୃ୍ଦ୍ଧି କରିବା ପାଇଁ ୫ଟି ସ୍କୁଲ ଆରମ୍ଭ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ୫ଟି ସ୍କୁଲ ଯୋଜନା ପ୍ରହସନ ପରି ଲାଗେ । ଡୁର୍କାମୁଣ୍ଡାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବାର ସୁବିଧା ରହିଛି । ଏହା ପରେ ହାଇସ୍କୁଲ ଶିକ୍ଷା ପାଇଁ କିନ୍ତୁ ସେଠାରେ କୌଣସି ସୁବିଧା ନାହିଁ । ଯାହା ଫଳରେ ପିଲାମାନେ ନବମ ଓ ଦଶମ ଶ୍ରେଣୀ ପଢିବାକୁ ବଞ୍ଚିତ ହେଉଛନ୍ତି । ହାଇସ୍କୁଲ ଗାଁ ଠାରୁ ବହୁତ ଦୂରରେ ଥିବାରୁ କିଛି ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ଲାଗୁଛି । ଦୂର ବାଟ ଯାଇ ହାଇସ୍କୁଲରେ ପଢିବାକୁ ମନବଳାଉ ନାହାନ୍ତି । ଯେଉଁ କାରଣରୁ ସେମାନେ ଅଧାରୁ ପାଠ ପଢା ବନ୍ଦ କରୁଛନ୍ତି ।
ତେଣୁ ଡୁର୍କାମୁଣ୍ଡାରେ ହାଇସ୍କୁଲ ନିର୍ମାଣ ଦାବି କରିଛନ୍ତି ଗ୍ରାମବାସୀ । ଏନେଇ ଡୁର୍କାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଯୋଡା ଯାଇ ହାଇସ୍କୁଲ ପ୍ରତିଷ୍ଠା କରିବା ପାଇଁ ଦାବି ହୋଇଛି । ହାଇସ୍କୁଲ ନିର୍ମାଣ ଦାବିରେ ଖଡ଼ିଆଳଠାରୁ ବୋଡେ଼ନକୁ ସଂଯୋଗ କରୁଥିବା PWD ମୁଖ୍ୟରାସ୍ତା ଡୁର୍କାମୁଣ୍ଡା ଗ୍ରାମଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।
ଏନେଇ ପ୍ରଥମରୁ ଅଷ୍ଟମରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଖଡ଼ିଆଳ ବୋଡେ଼ନ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଯାହାଫଳରେ ଖଡ଼ିଆଳ ବୋଡେ଼ନରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଡୁର୍କାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 1960 ମସିହାରୁ ଚାଲିଆସୁଛି । ବିଦ୍ୟାଳୟରେ 75 ଜଣ ବାଳିକା 79ଜଣ ବାଳକ ସମୁଦାୟ 154ଜଣ ଛାତ୍ରଛାତ୍ରୀ ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି । ନବମ ଦଶମ ଶ୍ରେଣୀରେ ପାଠ ପଢିବାପାଇଁ ପାଖରେ କୌଣସି ହାଇସ୍କୁଲ ନଥିବା କାରଣରୁ ଏଠିକାର ଛାତ୍ରଛାତ୍ରୀ ଅଷ୍ଟମ ପରେ ପାଠ ପଢ଼ାରେ ଡୋରୀ ବନ୍ଧା ହେଉଛି । ଏହାକୁ ଦୃଷ୍ଟିରେ ରଖି ଡୁର୍କାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ପରିଣତ କରିବା ପାଇଁ 2011 ମସିହାରେ ସରକାରଙ୍କ ଶିକ୍ଷା ବିଭାଗ ପ୍ରସ୍ତାବ ରଖିଥିଲା । ଏବେ ଏହି ପ୍ରସ୍ତାବକୁ ବଦଳା ଯାଇ ବୁଢାପରାକୁ ସ୍ଥାନାନ୍ତରିତ ହୋଇଥିବା କାରଣରୁ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ ।
ଇଟିଭି ଭାରତ, ନୂଆପଡା