ବଲାଙ୍ଗୀର: ଜମି କେଳେଙ୍କାରୀ ମାମଲାରେ ପୁଣି ଜଣଙ୍କୁ ଗିରଫ କଲା ପୋଲିସ । ତତ୍କାଳୀନ ଉପନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଦିପକ ବାଗଙ୍କୁ ପୋଲିସ ଗିରଫ କରିଛି । ପୋଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ 2018 ରୁ 2020 ମଧ୍ୟରେ ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ତାଙ୍କ ଜମି ବିକ୍ରୀ ହୋଇଥିବାର ଏକ ବଡ଼ ଘୋଟାଲା ସାମ୍ନାକୁ ଆସିଥିଲା । ଯେଉଁଥିରେ ଦୁଇ ଜଣ ଜମି ମାଲିକ ହର୍ଷ ଷଣ୍ଢ ଓ ଚେତାବନୀ ଭୋଇ ପୃଥକ୍ ପୃଥକ୍ ଅଭିଯୋଗ କରିଥିଲେ । ସେହିପରି ବଲାଙ୍ଗୀର ଉପନିବନ୍ଧକ ମଧ୍ୟ ଦୁଇଟି ଅଭିଯୋଗ କରିଥିଲେ । ଯେଉଁଥିରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ପୂର୍ବରୁ ଚାରି ଜଣଙ୍କୁ ଗିରଫ କରିଥିଲା । ଆଜି ତତ୍କାଳୀନ ଉପନିବନ୍ଧକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ମୁଖ୍ୟ କିରାଣୀ ଦିପକ ବାଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୂର୍ବରୁ ଏହି ମାମଲାରେ ବଲାଙ୍ଗୀର ତହସିଲଦାର ମାଘବାନ ବାଗ, ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ସେପଟେ ମାମଲାରେ ତଦନ୍ତ ଜାରି ରହିଛି ଓ ଆଗକୁ ଗିରଫ ସଂଖ୍ୟା ବୃଦ୍ଧି ପାଇବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଇଟିଭି ଭାରତ, ବଲାଙ୍ଗୀର