ବଲାଙ୍ଗୀର: ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳିଲା କୋଶଳ ସେନା । କଳା ପତାକା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ବିକ୍ଷୋଭ ପ୍ରଦର୍ଶନ । ତେବେ ଅଲଗା କୋଶଳ ରାଜ୍ୟ ଗଠନ ଦାବି ନେଇ ଏମାନେ ଆନ୍ଦୋଳନ କରି ଆସୁଛସନ୍ତି । କୋଶଳାଞ୍ଚଳକୁ ରାଜ୍ୟ ସରକାର ସବୁବେଳେ ଅବହେଳା କରି ଆସୁଥିବାର ଏମାନେ ଅଭିଯୋଗ କରି ଆସୁଛନ୍ତି ।
ଦୀର୍ଘ ଦସନ୍ଧି ଧରି ଏମାନେ ଅଲଗା କୋଶଳ ରାଜ୍ୟ ଗଠନ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ ହେଉଥିବା ବେଳେ ସମାନ ଭାବରେ ବଲାଙ୍ଗୀରରେ ମଧ୍ୟ ଉତ୍କଳ ଦିବସ ପାଳନ ହେଉଛି । ହେଲେ ଏଠି ଏହାକୁ ତୀବ୍ର ବିରୋଧ କରିଛି କୋଶଳ ସମନ୍ୱୟ ସମିତି । ଏହି ଦିନକୁ କଳା ଦିବସ ଭାବରେ ଏମାନେ ପାଳନ କରିଛନ୍ତି । ଏନେଇ ବଲାଙ୍ଗୀର କୋଶଳ ସେନାର ସଭ୍ୟମାନେ ଶୋଭାଯାତ୍ରା କରିବା ସହ କଳା ପତାକା ଓ ପୋଷ୍ଟର ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ କଳିଙ୍ଗ, ଉତ୍କଳ ଓ କୋଶଳାଞ୍ଚଳକୁ ନେଇ ଓଡିଶା ଗଠନ ହୋଇଥିଲା । ସେହିଦିନ ଠାରୁ କୋଶଳାଞ୍ଚଳକୁ ପାତର ଅନ୍ତର ନୀତି ସରକାର ପୋଷଣ କରୁଥିବା କୋଶଳ ସେନା ସଦସ୍ୟ କସ୍ତୁର୍ବ ସାହୁ କହିଛନ୍ତି । ଏପରିକି ଏଠିକାର ବିକାଶ ଚିନ୍ତା ସରକାର କରୁନଥିବା ବେଳେ ଏଠିକାର ନ୍ୟାର୍ଯ୍ୟ ହକ ଉପକୂଳ ଲୋକଙ୍କ ଠାରେ ଢାଳି ଦିଆଯାଉଥିବାର ସେ ଅଭଯୋଗ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...Utkal Diwas: ସ୍ବତନ୍ତ୍ର ପ୍ରଦେଶ ଗଠନର ବିନ୍ଧାଣି ମଧୁବାବୁଙ୍କୁ ମନେ ପକାଇଲା କଟକ
ସେହିପରି ସେ କହିଛନ୍ତି, "ଏଠାରେ ବ୍ୟାପକ ସାର୍ଟିଫିକେଟ ଦୁର୍ନିତୀ ଚାଲିଛି । ଏଠିକାର ଯୋଗ୍ୟ ହିତାଧିକାରୀ ସବୁବେଳେ ହରଡ଼ଘଣାରେ ପଡୁଛନ୍ତି । ତେଣୁ ଆମେ ଅଲଗା କୋଶଳ ରାଜ୍ୟ ଦାବି କରି ଆସୁଛୁ ।" ସେଥିପାଇଁ ଆଜିର ଉତ୍କଳ ଦିବସକୁ କଳା ଦିବସ ଭାବରେ ପାଳନ କରୁଛୁ ବୋଲି କହିଛନ୍ତି କୋଶଳ ସେନା ସଦସ୍ୟ କସ୍ତୁର୍ବ ସାହୁ । ସେପଟେ ଏହି ସଂଗଠନର ଅନ୍ୟତମ ସଦସ୍ୟ ବିକାଶ ସା ମଧ୍ୟ ସମାନ କଥା କହିଥିବା ବେଳେ ଆଜି ବଲାଙ୍ଗୀରର କୌଣସି ସ୍ଥାନରେ ଉତ୍କଳ ଦିବସ ପାଳନ ହେବାକୁ ଏମାନେ ଦେବେ ନାହିଁ ବୋଲି କହିଛନ୍ତି । ଯେପର୍ଯ୍ୟନ୍ତ କୋଶଳ ରାଜ୍ୟ ଦାବି ପୂରଣ ନହୋଇଛି, ଏମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର