ବଲାଙ୍ଗୀର: ବଲାଙ୍ଗୀରର ଗୋଟିଏ ଗ୍ରାମର ଶତାଧିକ ଲୋକ କିଡନୀ ରୋଗରେ ପୀଡିତ ହୋଇଥିବା ଜଣାପଡିଛି । ଚିକିତ୍ସା ପାଇଁ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଡେନ ଦୁଙ୍ଗୁରୀ ଗ୍ରାମରୁ ଆସିଛି ଏହି ଅଭିଯୋଗ । ଏହି ଗ୍ରାମରେ ଦୁଇଟି ୱାର୍ଡ ଥିବା ବେଳେ ଲୋକ ସଂଖ୍ୟା ଦୁଇ ହଜାର ହେବ । ତେବେ ଏହି ଗ୍ରାମର ଶତାଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି ।
ସେହିପରି ଏହି ଗ୍ରାମର ୧୦ ଜଣ ଏହି କିଡନୀ ରୋଗରେ ମୃତ୍ୟୁବରଣ କରିଥିବାର ଗ୍ରାମବାସୀ କହିଛନ୍ତି । ତେବେ ଦୀର୍ଘ ଦିନରୁ ପଚାଶରୁ ଅଧିକ କିଡନୀ ରୋଗୀଙ୍କୁ କଟକ ବଡ଼ ମେଡିକାଲ୍ ଚିକିତ୍ସା ପାଇଁ ନିୟମିତ ଯିବାକୁ ପଡିଥାଏ । ହେଲେ କରୋନା କାରଣରୁ ସେମାନେ ତଳିତଳାନ୍ତ ହୋଇଯାଇଥିବା ବେଳେ ଆଉ ଚିକିତ୍ସା ପାଇଁ ସେଠାକୁ ଯାଇପାରୁ ନାହାଁନ୍ତି ।
ତେଣୁ, ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଆଜି (ସୋମବାର) ସବୁ ପୀଡ଼ିତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ସେହିପରି ଗାଁରେ ଏମାନେ ପିଇବା ପାଣି ପାଇଁ ନଳକୂପ ଉପରେ ନିର୍ଭର କରୁଥିବା ବେଳେ ସେହି ପାଣି ଯୋଗୁଁ ଗ୍ରାମର ସମସ୍ତେ ଏହି ରୋଗରେ ପୀଡିତ ଥିବାର ଅଭିଯୋଗ କରିଛନ୍ତି ଏବଂ ଏହାର ସମାଧାନ ପାଇଁ ଦାବି କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ