ବଲାଙ୍ଗୀର: ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ଭାବରେ ପରିଗଣିତ କରାଯାଉଛି । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ । ଶ୍ରେଷ୍ଠ କ୍ରୀଡା ଆୟୋଜକ ଭାବରେ ଓଡିଶା ଦେଶରେ ସମ୍ମାନିତ ହୋଇଛି । ଖାଲି ରାଜ୍ୟ ନୁହେଁ ଜିଲ୍ଲା ସ୍ତରରେ ମଧ୍ୟ ଦେଖିବାକୁ ମିଳିଛି କ୍ରୀଡା ପ୍ରତି ସମସ୍ତଙ୍କ ଆଗ୍ରହ । ବଲାଙ୍ଗୀର ଜିଲ୍ଲାରେ ଗତକାଲି ଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା । 30ଟି ଜିଲ୍ଲାରୁ 180 ଖେଳାଳି ନେଉଛନ୍ତି ଭାଗ ନେଇଥିବା ବେଳେ ତିନି ଦିନ ଧରି ଏହା ପ୍ରତିଯୋଗିତା ଚାଲିବ ।
ବଲାଙ୍ଗୀର ଜିଲ୍ଲାର ସ୍ଥାନୀୟ ପିଆରଏଚଏସ ଇଣ୍ଡୋର ଷ୍ଟାଡିୟମରେ ଏହି ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି । ଆସନ୍ତା ତିନି ଦିନ ଧରି ଏହି ପ୍ରତିଯୋଗିତା ଚାଲିବ । ଏହି ପ୍ରତିଯୋଗିତାରେ ବଲାଙ୍ଗୀର ସମେତ ରାଜ୍ୟର ସବୁ ଜିଲ୍ଲାର 180 ଖେଳାଳି ଏଥିରେ ଭାଗ ନେଇଛନ୍ତି । ତେବେ ଏହି ବ୍ୟାଡମିଣ୍ଟନ ପ୍ରତିଯୋଗିତା 15 ବର୍ଷରୁ କମ ଓ 17 ବର୍ଷରୁ କମ ବର୍ଗର ଖେଳାଳିଙ୍କୁ ନେଇ ଆୟୋଜନ କରାଯାଇଛି । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପ୍ରଥମ ଥର ପାଇଁ ବଲାଙ୍ଗୀରରେ ଆୟୋଜିତ କରାଯାଇଛି । ଓଡ଼ିଶା ବ୍ୟାଡମିଣ୍ଟନ ସଂଘ ଓ ବଲାଙ୍ଗୀର ବେଡମିଣ୍ଟନ ସଂଘର ମିଳିତ ଆୟୋଜନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଠାରେ ଖେଳୁଥିବା ଖେଳାଳି ତାଙ୍କ ପ୍ରଦର୍ଶନ ଅନୁଯାୟୀ ମାନ୍ୟତା ପାଇବେ ଏହା ସହିତ ଜାତୀୟସ୍ତର ପ୍ରତିଯୋଗିତାରେ ଭାଗ ନେଇ ପାରିବେ ବୋଲି କୁହାଯାଇଛି । ସେହିପରି ବଲାଙ୍ଗୀରର ଅନେକ ଖେଳାଳି ପୂର୍ବରୁ ରାଜ୍ୟ ଓ ଦେଶରେ ନିଜର ପ୍ରଦର୍ଶନ ଦେଖାଇ ସାରିଛନ୍ତି । ଆଗକୁ ଏହି ପ୍ରତିଯୋଗିତା ନିହାତି ଭାବରେ ଖେଳକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଛି । ଏହା ସହ ଖେଳାଳି ମଧ୍ୟ ଉପକୃତ ହେବେ ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।
ଇଟିଭି ଭାରତ, ବଲାଙ୍ଗୀର