ବଲାଙ୍ଗୀର: ଅଦିନିଆ ବର୍ଷା ବିତ୍ପାତରେ ଚାଲିଗଲା ଜଣଙ୍କର ଜୀବନ । ଝଡବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ 4 ଜଣ ଆହତ ହୋଇଛନ୍ତି । ଘଣ୍ଟାଏ ବର୍ଷାରେ ଏଭଳି ବେହାଲ ହୋଇଛି ବଲାଙ୍ଗୀର ଜିଲ୍ଲା ।
ଶନିବାର ସନ୍ଧ୍ୟାରେ ଜିଲ୍ଲାରେ ଘଣ୍ଟାଏ ଧରି ଝଡ଼ ବର୍ଷା ଲାଗି ରହିଥିଲା । ଯାହାଫଳରେ ବିଭିନ୍ନ ସ୍ଥାନରେ ଗଛ ବିଦ୍ୟୁତ୍ ଖୁଣ୍ଟ ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଛି । ସେହିପରି ଏଥିରେ ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ବୁର୍ଡା ଠାରେ ପାଞ୍ଚ ଜଣ ମହିଳା ବର୍ଷାରୁ ବଞ୍ଚିବା ପାଇଁ ଏକ ବାଉଁଶ ବୁଦା ତଳେ ଆଶ୍ରୟ ନେଇଥିବା ବେଳେ ବାଉଁଶ ବୁଦା ତାଙ୍କ ଉପରେ ପଡ଼ି ଯାଇଥିଲା । ଯେଉଁଥିରେ ବାଉଁଶ ବୁଦା ତଳେ ଚାପି ହୋଇ ଜଣେ ମହିଳା ସୂର୍ଯ୍ୟ କାନ୍ତି ମହକୁରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ତେବେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ଗୁରୁତର ଚାରି ଜଣଙ୍କୁ ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ଏହି ଅଦିନିଆ ଝଡବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ