ବଲାଙ୍ଗୀର: ଅସ୍ଥାୟୀ କୋଭିଡ ସେଣ୍ଟରରେ ରାତ୍ର ଜଗୁଆଳ ଭାବେ ଦୀର୍ଘମାସ ହେବ କାମ କରିବା ପରେ ମଧ୍ୟ ଦିବ୍ୟାଙ୍ଗ ଯୁବକଙ୍କୁ ମିଳିଲା ନାହିଁ ଦରମା । ବରଂ ନିଜ ପ୍ରାପ୍ୟ ଟଙ୍କା ଦାବି କରିବାରୁ ମିଳିଲା ନିର୍ଯାତନା ସାଙ୍ଗକୁ ଗାଳି। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ସଇନ୍ତଲା ଵ୍ଳକ ତାଳଵାହାଲ ପଞ୍ଚାୟତରୁ । ସ୍ଥାନୀୟ ଜଣେ ଯୁବକ ମନୋଜ ବାଗ ଏପରି ସଂଘାତିକ ଅଭିଯୋଗ କରିଛନ୍ତି । ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ସ୍ବାମୀ ବିରୋଧରେ ଅଭିଯୋଗ ଆଣିଛନ୍ତି ମନୋଜ ।
ସୂଚନା ଅନୁସାରେ, ରାତ୍ରି ଜଗୁଆଳି ମନୋଜ ଵାଗ ଦିବ୍ୟାଙ୍ଗ ହୋଇ ଥିଲେ ସୁଦ୍ଧା କୋରୋନା ମହାମାରି ସମୟରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ପାଞ୍ଚ ରୁ ଛଅ ମାସ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରିଥିଲେ। ହେଲେ ତାଙ୍କ ଦରମା ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଦରମା ମାଗିଲେ ମାଡ ମାରିବା ସହ ଗାଲିଗୁଲଜ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମନୋଜ ବାଗ।
ଏନେଇ ସେ ସଇଁନ୍ତଲା ଵିଡିଓ ଦେବାଶିଷ ସାମଲକୁ ଗୁହାରି କରିଥିଲେ ମଧ୍ୟ କିଛି ଲାଭ ମିଳିନି। ଫଳରେ ମନୋଜ ସମାନ ଅଭିଯୋଗ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ। ଏହାର ସମାଧାନ କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ବିଡ଼ିଓଙ୍କ ନିକଟକୁ ପଠାଇଥିଲେ। ହେଲେ ବିଡିଓ ଦେବାଶିଷ ସାମଲ ଏନେଇ ପ୍ରତିକ୍ରିୟା ଦେବାକୁ ମନା କରିବା ସହ ଘଟଣା ନେଇ ପୋଲିସ ଉପରେ ଦୋଷ ଲଦିଛନ୍ତି।
ତେବେ ମନୋଜଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣିର ହୋଇ ଥିବାରୁ ପାଉଣା ପାଇଁ ଆକୁଳ ନିଵେଦନ କରିଛନ୍ତି। କୋରୋନା କଟକଣା ସମୟରେ ଵିନା ଦରମାରେ କାମ କରିବା ଅଧିକ କଷ୍ଟକର ହୋଇଛି। ତେଣୁ ପ୍ରଶାସନ ପକ୍ଷରୁ ଆଵଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହଉଛି।
ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ