ବଲାଙ୍ଗୀର: ଆଉ ଦିନ କେଇଟା ଗଲେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ । ଏଥିପାଇଁ ସଜବାଜ ଆରମ୍ଭ ହୋଇଥିବା ବେଳେ ଚିନ୍ତାରେ ବନ୍ୟା ବିପନ୍ନ। କାରଣ ଚଳିତ ବର୍ଷ ବନ୍ୟା ଜିଲ୍ଲାର 50ହଜାର ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ 1000ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଲୋକଙ୍କୁ ଅସହାୟ କରିଦେଇଛି ।
ସମାନ ଭାବରେ ହଜାର ହଜାର ହେକ୍ଟର ଜମିରେ ବାଲି ଚରି ସହ ଚାଷ ନଷ୍ଟ ହୋଇଛି । ତେବେ ନୂଆଖାଇ ପାଇଁ ନିଜ କ୍ଷେତର ନୂଆ ଧାନ ପାଇବା ଗୋଟିଏ ପ୍ରକାରରେ ଅନିଶ୍ଚିତ ହୋଇଛି । ସେହିପରି ଯେଉଁ ଲୋକଙ୍କ ଘର ଭାଙ୍ଗି ଯାଇଛି ସେମାନେ ଏବେ ଅନ୍ୟସ୍ଥାନରେ ମୁଣ୍ଡ ଗୁଞ୍ଜି ଥିବାବେଲେ ନୂଆଖାଇ ପୂର୍ବରୁ କୌଣସି ମତେ ଘର ତିଆରି ହୋଇପାରିବ ନାହିଁ ।
ବର୍ତ୍ତମାନ ସମୟରେ ସ୍ଥିତି ଗମ୍ଭୀର ଥିବାବେଳେ ରିଲିଫ ସାମଗ୍ରୀରେ ଦିନ କାଟୁଥିବା ଲୋକଙ୍କ ପାଇଁ ନୂଆଖାଇ ପାଳନ ଚିନ୍ତାର ବିଷୟ ହୋଇଛି। ସେହିପରି ନୁଆଖାଇ ପାଇଁ ସବୁ ନୂଆ ଯୋଗାଡ଼ ଏମାନଙ୍କ ପାଇଁ ଅସମ୍ବବ ହୋଇଥିବା ବେଳେ ଏଭଳି ପରିସ୍ଥିତିରେ କେମିତି ନୂଆ ଖାଇବେ ତାକୁ ନେଇ ପଡ଼ିଲାଣି ଭଲେଣି ।
ଖବର ଅନୁଯାୟୀ, ବଲାଙ୍ଗୀରରେ ଗତ 13 ଓ 14 ତାରିଖର ରେକର୍ଡ ଭଙ୍ଗା ବର୍ଷା କେଇ ଘଣ୍ଟା ମଧ୍ୟରେ ସବୁ ଧୋଇ ନେଇଥିଲା । ଯେଉଁଥିରେ ବଲାଂଗୀର ତେଲନଦୀ, ସନଗୋଡ଼ ନଦୀ, ସୁଖତେଲ, ରାହୁଲ ନଦୀ, ଅଙ୍ଗ ନଦୀ ଓ ଛୋଟ ବଡ଼ ସବୁ ନାଳରେ ବନ୍ୟା ଆସିଥିଲା । ଏପରିକି ସହର ମଧ୍ୟରେ ଲକ୍ଷ୍ମୀ ଜୋର ନାଳରେ ମଧ୍ୟ ବନ୍ୟା ଆସି ସମ୍ପୂର୍ଣ୍ଣ ସହରର ଚିତ୍ରକୁ ଓଲଟ ପାଲଟ କରିଦେଇଥିଲା ।
ବର୍ତ୍ତମାନ ପ୍ରକୃତ କ୍ଷୟକ୍ଷତିର ଆକଲନ ହୋଇ ପାରିନଥିବା ବେଳେ ପାଖାପାଖି 1000 ଘର ଭାଙ୍ଗି ଥିବାର ଅନୁମାନ ହୋଇଛି। ସେପଟେ ଏସବୁକୁ ନୂଆଖାଇ ପୂର୍ବରୁ ଠିକ ଠାକ କରିବା ପାଇଁ ଗୁରୁତ୍ବ ଦେଇଛନ୍ତି ପୂର୍ବତନ ସାଂସଦ। ଅଧିକରୁ ଅଧିକ ପ୍ରଧାନମନ୍ତ୍ରୀ ଅବାସରେ ଲୋକଙ୍କୁ ଶୀଘ୍ର ସାମିଲ କରି ଘର ଯୋଗାଇ ଦେବାର ସେ ଦାବି କରିଛନ୍ତି ।
ଏଥିପାଇଁ ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷର ନୂଆଖାଇ ପାଳନ ନିଶ୍ଚୟ ନିହାତି ଭାବରେ ଫିକା ରହିବ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ