ବଲାଙ୍ଗୀର: 12 ବର୍ଷରୁ ନିଖୋଜ ଥିବା ଯୁବକକୁ ଖୋଜି ବାହାର କରିଥିଲା ସାମାଜିକ ଗଣମାଧ୍ୟମ । ହେଲେ ପ୍ରଶାସନର ଅବହେଳା ମନୋଭାବ ଯୋଗୁଁ ପୁଣି ଏହି ଯୁବକ ନିଖୋଜ ବୋଲି ଅଭିଯୋଗ ହୋଇଛି । ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୋଲିସ । ମାତ୍ର ସେ ପୁଣି ଡାକ୍ତରଖାନାରୁ କେଉଁଆଡେ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଦୀର୍ଘ 12 ପରେ ପୁଅକୁ ଫେରି ପାଇଥିବା ଆଶାରେ ପରିବାର ପୁଅର ନିଖୋଜ ଖବର ଶୁଣି ପୁଣି ନିରାଶ ହୋଇଯାଇଛନ୍ତି ।
ଗତ କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା କରଲାପିଟା ଗ୍ରାମରେ ଜଣେ ମାନସିକ ବିକୃତ ଯୁବକ ଅସହାୟ ଅବସ୍ଥାରେ ବୁଲୁଥିବାର ସ୍ୱେଚ୍ଛାସେବୀ ସଂଗଠନ ଦେଖିଥିଲେ । ଏହାପରେ ବଲାଙ୍ଗୀର ସଦର ପୋଲିସକୁ ସୂଚନା ଦେଇଥିଲେ। ତେବେ ସଦର ପୋଲିସ ଗତ 3 ତାରିଖରେ ଯୁବକକୁ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଦ୍ଧାର କରିଥିଲା । ସେହିପରି ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏଠିକାର କିଛି ସ୍ବେଚ୍ଛାସେବୀ ଏହି ଅପରିଚିତ ଯୁବକର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ ଏବଂ ସାମାଜିକ ଗଣମାଧ୍ୟମ ହିଁ ତାଙ୍କ ପରିବାର ଲୋକଙ୍କୁ ଖୋଜି ବାହାର କରିଥିଲା ।
ଯେଉଁଥିରେ ଯୁବକ ଜଣକ ମନୋଜ ଓରାମ ଓ ସେ ସମ୍ବଲପୁର ବାଘପଡା ନିବାସୀ ବୋଲି ଜଣାପଡିଥିଲା । ସେ 10 ବର୍ଷ ବୟସ ହୋଇଥିବା ବେଳେ 12 ବର୍ଷ ପୂର୍ବେ ଘରୁ ପଳାଇ ଯାଇଥିଲେ । ପରିବାର ଲୋକେ ସବୁଠି ଖୋଜା ଖୋଜି କରି ହତାଶ ହୋଇଥିଲେ । ଏପରିକି ମାଆ ଓ ତାଙ୍କ ସମ୍ପର୍କୀୟ ପୁଅ ମିଳିବା ଆଶା ଛାଡି ଦେଇଥିଲେ । ତେବେ ଠିକ ୧୨ ବର୍ଷ ପରେ ଏମାନଙ୍କ ସାମନାରେ ସେହି ଭିଡିଓ ଆସିଥିଲା । ପରିବାର ତାଙ୍କ ପୁଅକୁ ଚିହ୍ନି ପାରିଥିଲେ । ବହୁ ଆଶା ନେଇ ପୁଅକୁ ନେବା ପାଇଁ ବଲାଙ୍ଗୀର ଆସିଥିଲେ । ହେଲେ ଏଠି ଆଉ ପୁଅକୁ ସେମାନେ ପାଇ ନଥିଲେ । ଡାକ୍ତରଖାନାରେ ପୋଲିସ ତାଙ୍କୁ ଭର୍ତ୍ତି କରିଥିବା ବେଳେ ସେଠୁ ସେ ପୁଣି କୁଆଡେ ଚାଲି ଯାଇଥିବାର ଜାଣିବାକୁ ପାଇଲେ ।
ତେବେ 12 ବର୍ଷ ପରେ ନିଜ ନିଖୋଜ ପୁଅକୁ ଫେରି ପାଇବା ଆଶା ନେଇ ପରିବାର ଆସିଥିବା ବେଳେ ପୁଣି ପୁଅକୁ ନିଖୋଜ ଥିବା ଜାଣି ହତାଶ ହୋଇ ପଡ଼ିଛନ୍ତି । ଏନେଇ ବଲାଙ୍ଗୀର ଟାଉନ ଥାନାରେ ପୁଣି ଲିଖିତ ଅଭିଯୋଗ କରିବା ସହ ଯଥାଶୀଘ୍ର ଖୋଜି ଦେବା ପାଇଁ ନିବେଦନ କରିଛନ୍ତି । ତେବେ ଯୁବକଙ୍କ ସମ୍ପର୍କୀୟ କହିଛନ୍ତି ଯେ, "12 ବର୍ଷ ପୂର୍ବେ ମନୋଜ ଓରାମ ଘରୁ କୁଆଡେ ପଳାଇ ଯାଇଥିଲେ । ନିଖୋଜ ପରେ ଚାରିଆଡ଼େ ଖୋଜିବାକୁ ଚେଷ୍ଟା କରିଥିଲୁ । ହେଲେ ତାଙ୍କର ଖୋଜ ଖବର ପାଇ ନଥିଲୁ । ସାମାଜିକ ଗଣମାଧ୍ୟମରେ ଖବର ପାଇବା ପରେ ଆଶାବାଦୀ ହୋଇ ବଲାଙ୍ଗୀର ଆସିଥିଲୁ । ଏଠି ପୁଣି ନିରାଶ ହେବାକୁ ପଡିଛି ।"
ଇଟିଭି ଭାରତ, ବଲାଙ୍ଗୀର