ବଲାଙ୍ଗୀର: ଦିନକ ପରେ ପୌର ଲଢେଇ । ଏନେଇ ଆଜି(ମଙ୍ଗଳବାର) ପ୍ରଚାରର ଶେଷ ଦିନ ଥିବାବେଳେ ଭୋକଶୋଷ ଭୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ ବଲାଙ୍ଗୀରରେ ଚର୍ଚ୍ଚାରେ ଅଛନ୍ତି କାଉନସିଲର ପ୍ରାର୍ଥୀ ଭାବେ ଲଢୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସଚିବ । ଏହି ପ୍ରାର୍ଥୀ ହେଉଛନ୍ତି ବଲାଙ୍ଗୀର ସହରର ବିପିନ କୁସଲିଆ । ବିପିନଙ୍କ ସମେତ ତାଙ୍କ ସ୍ତ୍ରୀ ମଧ୍ୟ ପୌର ନିର୍ବାଚନରେ ଏକା ସାଙ୍ଗରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ବିପିନ କୁସଲିଆ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି । ସେ ଦିଲ୍ଲୀ ଜବାହରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରୁ ପିଏଚଡ଼ି କରିଛନ୍ତି ଏବଂ 2000 ମସିହାରୁ 2004 ପର୍ଯ୍ୟନ୍ତ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବରେ କାର୍ଯ୍ୟ ତୁଲାଇଛନ୍ତି । ସେହିପରି ସେ ଅଜିତ ଯୋଗୀଙ୍କ ରାଜନୈତିକ ସଚିବ ଭାବରେ 2008 ପର୍ଯ୍ୟନ୍ତ କାମ କରିଛନ୍ତି । ଏହାଛଡ଼ା ସେ ଜଣେ ରିସର୍ଚ୍ଚର ଭାବରେ ରାଜ୍ୟସଭାର ଚାରି ସାଂସଦଙ୍କ ପାଇଁ ମଧ୍ୟ କାମ କରିଛନ୍ତି । ଏହାସତ୍ତ୍ୱେ ସେ ଏବେ ନିଜ ମାଟି ବଲାଙ୍ଗୀରକୁ ପ୍ରତ୍ୟାବର୍ତ୍ତନ କରି ଏଠି ନିଜର ରାଜନୀତିକ ଦଳ ଗଢିଛନ୍ତି ଏବଂ ଚଳିତ ପୌର ନିର୍ବାଚନରେ ବଲାଙ୍ଗୀର 21 ନମ୍ୱର ୱାର୍ଡରୁ କାଉନସିଲର ପଦବୀ ପାଇଁ ନିର୍ବାଚନ ଲଢୁଛନ୍ତି ।
ସେହିପରି ତାଙ୍କ ପତ୍ନୀ ମଧ୍ୟ ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷା ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ରାଜନୀତିକୁ ଆପଣାଇବା ସହ ପ୍ରତ୍ୟକ୍ଷ ଭାବରେ ଏଥିରେ ସାମିଲ ହେବା ଯେତେ ଚର୍ଚ୍ଚା ହେଉଛି ତା' ଠାରୁ ପୌର ନିର୍ବାଚନରେ ସେମାନେ ପ୍ରତିଦ୍ବନ୍ଦିତା କରିବା ବେଶୀ ଚର୍ଚ୍ଚାର ବିନ୍ଦୁ ସାଜିଛି । ନିଜ ମାଟି ଓ ଲୋକଙ୍କ ସେବା ପାଇଁ ସେମାନେ ରାଜନୀତିକୁ ଆସିଥିବାର କହିଛନ୍ତି । ଏହି ଦମ୍ପତି ପ୍ରଚାର କରିବା ସାଙ୍ଗକୁ ବିଭିନ୍ନ ପୋଖରୀ ତୁଠ ସଫା କରି ଲୋକଙ୍କ ସେବା କରୁଥିବାର ମଧ୍ୟ ଦେଖାଯାଇଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ