ବଲାଙ୍ଗୀର: ଚୁଡାଖାଇ ପାହାଡରେ ପ୍ରସିଦ୍ଧ ଡଙ୍ଗର ମହୋତ୍ସବ ଅନୁଷ୍ଠିତ । ସୋନପୁର-ବଲାଙ୍ଗୀର ସୀମା ନିକଟସ୍ଥ ତରଭା ଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ଚୁଡାଖାଇ ପାହାଡରେ ପ୍ରସିଦ୍ଧ ଡଙ୍ଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବର ଦ୍ବିତୀୟ ଦିନରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ଚୁଡାଖାଇ ପାହାଡର ଐତିହ୍ୟ ଓ ବିଶେଷତ୍ୱକୁ ନେଇ ଆଲୋଚନା ହୋଇଛି । ପର୍ଯ୍ୟଟନ ସ୍ଥଳୀର ସାମଗ୍ରିକ ବିକାଶ ଦିଗରେ ଜିଲ୍ଲାପାଳ ଆଲୋକପାତ କରିଛନ୍ତି ।
କେଉଁ ଆବହମାନ କାଳରୁ ଚୁଡାଖାଇ ଡଙ୍ଗର ନିକଟସ୍ଥ ଅଞ୍ଚଳବାସୀଙ୍କ ପାଇଁ ଏହା ବିଶେଷ ମହତ୍ଵ ରହିଛି । ଏହି ସ୍ଥାନରେ ଆଦିବାସୀମାନେ ଇଷ୍ଟ ଦେବୀଙ୍କୁ ପୂଜାର୍ଚ୍ଚନା କରି ଆସୁଛନ୍ତି । ମାର୍ଗଶିର ଶୁକ୍ଳ ପକ୍ଷ ଚର୍ତୁର୍ଦ୍ଦଶୀରେ ଏଠି ଚୁଡା ଭୋଗ ଲାଗି ହେବା ସହ ପଶୁ ବଳି ଦିଆଯାଇଥାଏ। ଏହାକୁ ଏକ ମୁଖ୍ୟ ପର୍ବ ଭାବେ ଆଦିବାସୀମାନେ ପାଳନ କରନ୍ତି । ରାଜ୍ୟ ସରକାର ଚୁଡାଖାଇ ପାହାଡକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ପରେ ବେଶ ଧୁମଧାମରେ ଲୋକ ମହୋତ୍ସବ ଭାବେ ପାଳନ କରାଯାଉଛି । ଦୀର୍ଘ ଦୁଇ ବର୍ଷ କୋରୋନା କଟକଣା ପରେ ମହୋତ୍ସବକୁ ନେଇ ଆଦିବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଭକ୍ତି, ଶ୍ରଦ୍ଧା ସାଙ୍ଗକୁ ପାରମ୍ପରିକ ନାଚ ଗୀତର ଆସର ମଧ୍ୟ ଜମିଛି । ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ସୋନପୁର ଜିଲ୍ଲାପାଳ ଆବୋଲି ସୁନୀଲ ନୁରନେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ପାରମ୍ପରିକ ନାଚଗୀତରେ ପରିବେଶ କମ୍ପି ଉଠିଥିଲା । ଏହି ପରିପ୍ରେକ୍ଷୀରେ ଅଞ୍ଚଳର ଶହଶହ ଆଦିବାସୀ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ପାଟଣେଶ୍ୱରୀଙ୍କ ବଏଲ୍ ଯାତ୍ରା ସମ୍ପନ୍ନ, ବରୁଆ ବେଶରେ ଦର୍ଶନ ଦେଲେ ମା’
ଏହି ଉତ୍ସବରେ ସୋନପୁର ଏସ୍ପି ଯୋଗ ଦେଇ କହିଛନ୍ତି, " ରାଜ୍ୟ ସରକାରଙ୍କ ଦ୍ବାରା ଚୁଡାଖାଇ ପାହାଡରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି । ଆଗାମୀ ଦିନରେ ଆହୁରି ଆଡମ୍ବରରେ ପାଳିତ ହେବ ।" ସୁବର୍ଣ୍ଣପୁର ଜିଲ୍ଲାରେ ଏହା ଏକ ବଡ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ବୋଲି ଏସ୍ପି କହିଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋନପୁର ଏସ୍ପି ଅମରେଶ ପଣ୍ଡାଙ୍କ ସମେତ ତରଭା ବ୍ଲକ ଅଧ୍ୟକ୍ଷ୍ୟ ସରୋଜ କମ୍ପ, ବିଡ଼ିଓ ବିନୟ କୁମାର ପଟେଲ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।
ଇଟିଭି ଭାରତ, ବଲାଙ୍ଗୀର