ବଲାଙ୍ଗୀର: ବଲାଙ୍ଗୀରରେ ଜାଲ ବୁଣିଛନ୍ତି ମିଲର । ମଣ୍ଡିରେ ବିକ୍ରୀ ପୂର୍ବରୁ ମିଲରଙ୍କ ପାଖରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । କେଉଁଠୁ ଆସିଲା ଧାନ । ପୂର୍ବରୁ ଚାଷୀଙ୍କଠାରୁ ଶସ୍ତାରେ କିଣା ଯାଇନି ତ? ମିଲରଙ୍କ ଜାଲରେ ଗରିବ ଚାଷୀ । ସବୁଜାଣି ଚୁପ୍ ପ୍ରଶାସନ ।
ଜିଲ୍ଲାରେ ଆରମ୍ଭ ହୋଇଛି ଖରିଫ୍ ଋତୁ ଧାନ କିଣା । ତେବେ ଧାନ କିଣା ପୂର୍ବରୁ ମିଲରଙ୍କ ପାଖରେ ଗଚ୍ଛିତ ଅଛି ହଜାର ହଜାର କ୍ୟୁଣ୍ଟାଲ ଧାନ । ନିୟମ ଅନୁସାରେ ମିଲର ସିଧାସଳଖ ଚାଷୀଙ୍କଠାରୁ ଧାନ କିଣି ପାରିବେ ନାହିଁ । ମାତ୍ର ଧାନ କିଣା ପୂର୍ବରୁ ଏମାନ ପାଖରେ ଧାନ ରହିଛି ଅର୍ଥାତ ନିୟମରେ ଖିଲାପ କରାଯାଇଛି । ସେପଟେ ପ୍ରଶାସନ ଏହାର ତଦନ୍ତ ହେବାନେଇ କହିଥିବାବେଳେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ ।
ବଲାଙ୍ଗୀର ତୁଷୁରା ଗ୍ରାମରେ ଥିବା କେଡିଆ ରାଇସ ମିଲ୍ରେ ଧାନ ଗଚ୍ଛିତ ଥିବାର ଜଣାପଡିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଟ୍ରକ୍ରେ ଧାନ ଆସୁଥିବାର ମଧ୍ୟ ସୂଚନା ରହିଛି । ତେବେ ଗତବର୍ଷର ଧାନ ସବୁ ମିଲରଙ୍କୁ ଗତ ନଭେମ୍ବର ମାସ ସୁଦ୍ଧା ଚାଉଳ କରି ଦେବାର ପ୍ରଶାସନ ସମୟ ସୀମା ଦେଇଥିଲା । ଅର୍ଥାତ ଯଦି ଏହି ମିଲ ଧାନ ଦେଇ ନାହିଁ ତେବେ ପ୍ରଶାସନ ଏନେଇ କଣ ପଦକ୍ଷେପ ନେଇଛି । ସେହିପରି ଯଦି ଧାନ ସେ ଚାଷୀଙ୍କଠାରୁ କିଣିଛି ତାହା ହେଲେ ତାକୁ ଏହାର ଅନୁମତି ଦେଲା କିଏ । କାରଣ କୌଣସି ମିଲର ସିଧାସଳଖ ଚାଷୀଙ୍କଠୁ ଧାନ କିଣିପାରିବେ ନାହିଁ । ଏଭଳି ନିର୍ଦ୍ଦେଶ ହାଇକୋର୍ଟ ଗତ 2002ରେ ଦେଇଥିଲେ । ତେବେ କଣ ଏହି ନିୟମର ଖିଲାପ ହୋଇଛି ।
ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିବା ବେଳେ ପ୍ରଶାସନ ଏହାକୁ ଅତି ହାଲୁକା ଭାବରେ ନେଉଛି । ସେପଟେ ମିଲରଙ୍କ ଜାଲରେ ଫଶିଛି ଗରିବ ଚାଷୀ ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ