ବଲାଙ୍ଗୀର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲେ ସ୍ବାମୀ, ସ୍ତ୍ରୀ ମୃତ । ବଲାଙ୍ଗୀର ଲୋହିସିଂହା ଥାନା ଆଗଲପୁର ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଲୋଇସିଂହା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।
ଆଜି ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ରଜନୀ ନାଗ ସକାଳୁ କପଡା ସୁଖାଇବାକୁ ଯାଇ ପାଖରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଯାହାକୁ ଦେଖିବା ପରେ ତାଙ୍କ ସ୍ବାମୀ ହେମନ୍ତ ନାଗ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା ।
ଏହି ଖବର ପହଞ୍ଚିବା ପରେ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ ପାଇଁ ପଠାଇଛି । ସେପଟେ ମୃତ ଦମ୍ପତ୍ତି ଦୁଇ କୁନି କୁନି ଶିଶୁ ଥିବାବେଳେ ଏବେ ସେମାନେ ବାପା ମା ଛେଉଣ୍ଡ ହୋଇଛନ୍ତି । ଯାହାଙ୍କୁ ଶୀଘ୍ର ସରକାରୀ ସାହାଯ୍ୟ ପାଇଁ ଦାବି ହୋଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମହ ୱାହିଦ, ଇଟିଭି ଭାରତ