ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଦୈନିକ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଜିଲ୍ଲାରେ ବିଦ୍ୟୁତ ଚାଳିତ ଅନ୍ତିମ ସତ୍କାର ବ୍ୟବସ୍ଥା ନଥିବାରୁ କାଠ ହିଁ ଏକ ମାତ୍ର ଭରସା ପାଲଟିଛି । ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଅନ୍ତିମ ସତ୍କାର ପାଇଁ ଦରକାର ଥିବା କାଠର ଅଭାବ ଆଗକୁ ଦେଖାଦେଇ ପାରେ ବୋଲି ଲୋକେ ଚିନ୍ତିତ ଅଛନ୍ତି ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ବିପୁଳ ପରିମାଣରେ କାଠ ମହଜୁଦ ରଖିବାର ଦାବି କରିଛନ୍ତି ଲୋକେ । ତେବେ ବଲାଙ୍ଗୀର ସହରର ମେଡ଼ିକାଲ କଲେଜକୁ ପାଞ୍ଚଟି ଜିଲ୍ଲାର କରୋନା ସଂକ୍ରମିତ ରେଫର ହୋଇ ଆସୁଛନ୍ତି । ଏଥି ପାଇଁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି । ସେହିପରି ଅଧିକାଂଶ ମୃତଦେହ ବଲାଙ୍ଗୀରରେ ଥିବା ବିଭିନ୍ନ ଶ୍ମଶାନ ଘାଟରେ ଦାହ କରାଯାଉଛି । ତେବେ ଏସବୁ ପାଇଁ ବଲାଙ୍ଗୀର ସହର ମଧ୍ୟରେ ଥିବା ଓଡିଶା ବନ ଉନ୍ନୟନ ହିଁ କାଠ ଯୋଗାଇ ଆସିଥାଏ ।
ଯାହା ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ ହୋଇ ଆସୁଛି । ସେପଟେ ବନ ଉନ୍ନୟନ ବିଭାଗ କହିଛି କି ଏଠି କାଠ ବିପୁଳ ପରିମାଣରେ ଗଛିତ ଅଛି, ପ୍ରାୟ 10ଟନ କାଠ ଅଛି ଆଗକୁ ମଧ୍ୟ କାଠ ଆସିବ ବୋଲି ବିଭାଗ କହିଛି ଏବଂ ଏଠି କାଠର କୌଣସି ଅଭାବ ରହିବ ନାହିଁ ବୋଲି ବିଭାଗ କହିଛି । ତେବେ ବର୍ତ୍ତମାନ କାଠ ଥିଲେ ସୁଦ୍ଧା ଆଗକୁ ତାହା ଉପଲବ୍ଧ ହେବ କି ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ଏବଂ କାଠ ବିପୁଳ ପରିମାଣରେ ଗଛିତ ରଖିବାକୁ ଦାବି ହୋଇଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ