ବଲାଙ୍ଗୀର: ସୋନପୁର-ବଲାଙ୍ଗୀର ସୀମା ତରଭା ଠାରେ ଅନୁଷ୍ଠିତ ପ୍ରସିଦ୍ଧ ଚୁଡାଖାଇ ଡଙ୍ଗର ମହୋତ୍ସବ ସମ୍ପନ୍ନ ହୋଇଛି । ଦୀର୍ଘ ଦୁଇ ବର୍ଷ ପରେ ବେଶ ଆଡ଼ମ୍ବରେ ଉତ୍ସବ ପାଳିଲେ ଆଦିବାସୀ । ପାରମ୍ପରିକ ରୀତିନୀତି ଯୁଗାର ଓ ଧୂପ ନଡ଼ିଆରେ ଚୁଡାଖାଇ ଡଙ୍ଗର ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଲୋକନୃତ୍ୟ ଏବଂ ଗୀତ ପରିବେଷଣ ହୋଇଥିଲା। ଉତ୍ସବରେ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା ।
ବଲାଙ୍ଗୀର-ସୋନପୁର ସୀମା ନିକଟ ତରଭା ଠାରେ ତିନିଦିନ ଧରି ଚାଲିଥିବା ପ୍ରସିଦ୍ଧ ଐତିହାସିକ ଚୁଡାଖାଇ ଡଙ୍ଗର ମହୋତ୍ସବ ଶେଷ ହୋଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଚୁଡାଖାଇ ପାହାଡରେ ବିରାଜମାନ ଥିବା ଦେବାଦେବୀଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରା ଯାଇଥିଲା । ଏହି ଅବସରରେ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ସାମିଲ ହେଇଥିଲେ । କେଉଁ ଆବହମାନ କାଳରୁ ଚୁଡାଖାଇ ପାହାଡ ଏଠାକାର ଆଦିବାସୀ ମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରିଆସିଛି । ପୂର୍ବରୁ କନ୍ଧ ଆଦିବାସୀ ଜମିଦାରମାନେ ଏଠି ସ୍ଥାପିତ ହୋଇଥିବା ଦେବାଦେବୀ ପୁଡା ପାଠ, ମା' ଦ୍ୱାରଶୁଣୀ, ସିକେର ପାଠ, ମା' ସ୍ୱର୍ଗସେନି ଓ ମା' ବାଉତିଙ୍କ ରୀତିନୀତିରେ ପୂଜାର୍ଚ୍ଚନା କରି ଆସୁଥିଲେ। ସେହିପରି ପ୍ରତ୍ୟେକ ମାର୍ଗଶୀର ପୂର୍ଣ୍ଣିମାରେ ଏଠାରେ ବିଶେଷ ପୂଜା ହୋଇଥାଏ । ମୁଖ୍ୟତଃ ପଶୁ ପକ୍ଷୀଙ୍କ ବଳି, ଧୂପ ନଡ଼ିଆ ଓ ଲିଆ ଜୁଗାରରେ ଦେବାଦେବୀଙ୍କୁ ପୂଜା କରାଯାଏ । ଦୀର୍ଘ ଦୁଇ ବର୍ଷ ପରେ ଏଠାରେ ବିରାଟ ମହୋତ୍ସବର ଆୟୋଜନ କରାଯାଇଥିଲା।
ଏହା ମଧ୍ୟ ପଡ଼ନ୍ତୁ: ଚୁଡାଖାଇ ପାହାଡରେ ପ୍ରସିଦ୍ଧ ଡଙ୍ଗର ମହୋତ୍ସବ ଅନୁଷ୍ଠିତ
ଉତ୍ସବର ଶେଷ ଦିନରେ ବାରୁଆଁ ବେଶରେ ଦେବୀ ପ୍ରକଟ ହେବା ସହ ଲୋକଙ୍କ ମାନସିକ ପୂରଣ କରିଛନ୍ତି ବୋଲି ବିଶ୍ବାସ ରହିଛି । ଭକ୍ତମାନେ ଧୂପ ନଡ଼ିଆ ଓ ଲିଆ ଜୁଗାର ଚଢାଇ ପୂଜା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଚୁଡାଖାଇ ପାହାଡକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପରେ ଦ୍ଵିତୀୟ ଥର ଡଙ୍ଗର ମହୋତ୍ସବ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଯେଉଁଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତର କଳାକାର ସେମାନଙ୍କ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଥିଲେ । ଶାନ୍ତି ଶୃଙ୍ଖଳାର ସହ ମହୋତ୍ସବ ସମାପନ ହୋଇଥିଲା ।
ଇଟିଭି ଭାରତ, ବଲାଙ୍ଗୀର