ବଲାଙ୍ଗୀର: ଗାଈ ଗୁହାଳ ପାଇଁ ଚାଷୀଙ୍କ ପାଖରୁ ଲାଞ୍ଚ ନେବାବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ଚାଷୀଙ୍କ ଗାଈ ଗୁହାଳ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ କୃଷ୍ଣ ପ୍ରିୟା ମଣ୍ଡଳକୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଏହା ପରେ ଦେଓଗାଁ ବ୍ଲକ ଅଫିସ ଓ ଦଶମତି ନଗରରେ ଥିବା ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। ଏବଂ ଗିରଫ ଜେଇକୁ ଅଧିକ ପଚରା ଉଚରା କରୁଛି ଭିଜିଲାନ୍ସ ।
ଅଭିଯୋଗ ଅନୁସାରେ, ଶିକୁଆଁର ଦୁଗ୍ଧ ଚାଷୀ ଲିଙ୍ଗରାଜ ସାହୁଙ୍କ ଗାଈ ଗୁହାଳ ପାଇଁ ଜେଇ ହଇରାଣ କରିଥିଲେ। ଏଥିପାଇଁ ଗତ ୩ ବର୍ଷ ହେଲା ହଇରାଣ କରି ଆସୁଥିଲେ ଜେଇ କୃଷ୍ଣ ପ୍ରିୟା। ଶେଷରେ 66 ହଜାର ଟଙ୍କାର ସରକାରୀ ଗାଈ ଗୁହାଳ ସାହାଯ୍ୟ ବିଲ ପାଇଁ ଟଙ୍କା ଦାବି କରିବା ସହ ୫ ହଜାର ଟଙ୍କାରେ କଥା ଛିଣ୍ଡାଇ ଥିଲେ ଜେଇ କୃଷ୍ଣ ପ୍ରିୟା ମଣ୍ଡଳ। ଏହା ପରେ ଲିଙ୍ଗରାଜ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଏବଂ ଯୋଜନା ମୁତାବକ ଆଜି ଅପରାହ୍ନ ୪ ଟା ସମୟରେ ଦେଓଗାଁରେ ୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜେଇ। କେମିକାଲ ଦିଆ ୫ ହଜାର ଟଙ୍କା ଜବତ କରିବା ଶହ ଜେଇ କୃଷ୍ଣ ପ୍ରିୟା ମଣ୍ଡଳକୁ ଗିରଫ କରି ବଲାଙ୍ଗୀର ଅଫିସକୁ ଆଣି ପଚରା ଉଚରା ଜାରି ରହିଛି।
ଏଥିସହ ବଲାଙ୍ଗୀର ଦଶମତି ନଗରର ଭଡ଼ା ଘର ଓ ଦେଓଗାଁ ବ୍ଲକ୍ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି। ତେବେ ଆଜି ରାତିରେ ଜେଇଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ