ବଲାଙ୍ଗୀର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 3 ମୃତ । ଦେଓଗାଁ ଥାନା ସାଗରପାଲି ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ କାରଟି ନବରଙ୍ଗପୁରରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିଲା ।
ନବରଙ୍ଗପୁରରୁ ଏକ ଇନୋଭା ଗାଡିରେ ଚାରିଜଣ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିଲେ । ସାଗରପାଲି ନିକଟରେ ଭାରସାମ୍ୟ ହରାଇ ଇନୋଭା ଗାଡିଟି ଗଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ 2ଜଣ ଗୁରୁତର ହୋଇଥିଲେ । 2 ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ମେଡିକାଲକୁ ଯିବା ରାସ୍ତାରେ ଜଣେ ଗୁରୁତରଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ରାମେଶ୍ବର ବୋଲି ଜଣାପଡିଛି । ଅନ୍ୟ ମୃତକମାନେ ହେଲେ ବ୍ୟାଙ୍କ ମ୍ୟାନେଜର ରାକେଶ ହେମ୍ରମ ଓ ସାମ୍ବାଦିକ ସତେଇ ମାଦନା ।
ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । 2 ଗୁରୁତରଙ୍କୁ ମଧ୍ୟରୁ ଜଣେ ଇନୋଭା ଗାଡିର ଡ୍ରାଇଭର ଭୀମ ହରିଜନ ବୋଲି ଜଣାପଡିଥିବା ବେଳେ ଜଣଙ୍କ ନାମ ରାମେଶ୍ବର ବୋଲି ଜଣାପଡିଥିଲା । ତେବେ ରାମେଶ୍ବରଙ୍କ ବୁର୍ଲା ମେଡିକାଲ ରାସ୍ତାରେ ମୃତ୍ୟୁ ଘଟିଛି । ଅନ୍ୟପଟେ ମୃତବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସହ ଦେଓଗାଁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ