ବଲାଙ୍ଗୀର: ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଚାଲିଛି ଲାଞ୍ଚ କାରବାର । ଖୁଲମ ଖୁଲା ଭାବେ ଶ୍ରମିକମାନଙ୍କ ଠାରୁ ଲାଞ୍ଚ ନେବାର ଭିଡିଓ ଗୋଟିଏ ପରେ ଗୋଟିଏ ଭାଇରାଲ ହେଉଛି । ପୂର୍ବରୁ ବରିଷ୍ଠ କିରାଣୀ ଲାଞ୍ଚ ନେବା ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଖୋଦ ଶ୍ରମ କମିଶନର ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହୋଇଛି ।
ବଲାଙ୍ଗୀର ଜିଲ୍ଲାରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଖୁଲମ ଖୁଲା ଚ୍ୟାଲେଞ୍ଜ କରିଛନ୍ତି କିଛି ଦୁର୍ନୀତିଖୋର ସରକାରୀ ଅଧିକାରୀ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଲାଞ୍ଚୁଆଙ୍କ କାର୍ଯ୍ୟାଳୟ ପାଲଟିଛି । ଶ୍ରମିକ ମାନଙ୍କ ଠାରୁ ଲାଞ୍ଚ ନେବାର ଭିଡିଓ ଗୋଟିଏ ପରେ ଗୋଟିଏ ଏବେ ଭାଇରାଲ ହେବା ପରେ ଏହି ଅଭିଯୋଗ ହୋଇଛି । ପୂର୍ବରୁ ବରିଷ୍ଠ କିରାଣା ବଲ୍ଲଭ ନାଗ ଲାଞ୍ଚ ନେବା ଭିଡିଓ ଭାଇରାଲ ହୋଇଥିଲା । ସେତେବେଳେ ଶ୍ରମ ଅଧିକାରୀ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି କହିଥିଲେ ।
ଏବେ ତାଙ୍କ ନିଜ ଲାଞ୍ଚ ନେବା ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଶ୍ରମିକଙ୍କ ଠାରୁ ନଗଦ ଟଙ୍କା ଲାଞ୍ଚ ନେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏଠିକାର ଶ୍ରମ କମିଶନର ସରୋଜ କୁମାର ରଞ୍ଜିତ ଲାଞ୍ଚ ନେଉଥିବା ବେଳେ ଏ ସଂକ୍ରାନ୍ତରେ ସେ ମୁହଁ ଖୋଲି ନାହାନ୍ତି ।
ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଏପରି ଶ୍ରମିକ ମାନଙ୍କ ଠାରୁ ଲୁଟ ଚାଲିଛି । କେତେବେଳେ ନିର୍ମାଣ ଶ୍ରମିକ ପଞ୍ଜିକରଣରେ ତ ଆଉ କେତେ ବେଳେ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ନାଆଁରେ ଏଠି ଲୁଟ ଚାଲିଛି ବୋଲି ଅଭିଯୋଗ ହୋଇଛି । ତେବେ ଏଭଳି ସ୍ଥିତିରେ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ