ବଲାଙ୍ଗୀର: କଅଁଳ ବୟସରେ କୁନି ହାତରେ ଜଣେ ହୋଇପାରନ୍ତି ଜଗତଜିତା । ସର୍ବକନିଷ୍ଠ ଭାବେ ପ୍ରସିଦ୍ଧ କମ୍ପ୍ୟୁଟର ସଫ୍ଟୱାର ନିର୍ମାତା ମାଇକ୍ରୋସଫ୍ଟ କମ୍ପାନୀର ଏମଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ସାତ ବର୍ଷର ବାଳକ ଭେଙ୍କଟ ରମଣ ପଟ୍ଟନାୟକ। ଏହାପରେ ତାଙ୍କୁ ବଲାଙ୍ଗୀରର ବିସ୍ମୟ ବାଳକ ବୋଲି କୁହାଯାଉଛି ।
ବଲାଙ୍ଗୀର ପ୍ୟାଲେସ ଲାଇନରେ ରହୁଥିବା ମା' ଡି ପ୍ରମିଳା କୁମାରୀ ଓ ବାପା କୂଳଦୀପ ପଟ୍ଟନାୟକଙ୍କ ସେ ସନ୍ତାନ ଅଟନ୍ତି । ବାପା ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ, ସେ ଇଣ୍ଟରନେଟ ଡୋମେନ ସମ୍ପର୍କୀୟ କାମ କରନ୍ତି । ସେହିପରି ମା ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟରେ କାମ କରନ୍ତି। ତେବେ ପରିବାର ଲୋକଙ୍କ କହିବା ଅନୁସାରେ ଭେଙ୍କଟ ରମଣ, ଗତ ଦୁଇବର୍ଷରୁ କମ୍ପ୍ୟୁଟର କୋଡ଼ିଂ ଆଡକୁ ମନ ବଳାଇ ଥିଲେ । ଏଥିପାଇଁ ତାଙ୍କ ପରିବାର ଲୋକେ ବେଙ୍ଗାଲୁରୁସ୍ଥିତ ଏକ କମ୍ପ୍ୟୁଟର କୋଡ଼ିଂ ସ୍କୁଲ ସହିତ ସମ୍ପର୍କ କରିଥିଲେ। ମାତ୍ର ଏତେ ଅଳ୍ପ ବୟସରୁ ସମ୍ପୃକ୍ତ ସ୍କୁଲ ତାଙ୍କ ନାମ କେମିତି ଲେଖାଇବ ତାକୁ ନେଇ ଦ୍ଵନ୍ଦ୍ବ ପଡି ଥିଲା । ଶେଷରେ ପ୍ରାଥମିକ ପରୀକ୍ଷା ପରେ ସେମାନେ ଏହି ବାଳକର ଜ୍ଞାନକୁ ମାନି ଥିଲେ । ସେହିପରି ଘରେ ରହି ଭେଙ୍କଟ ରମଣ ସ୍କୁଲ ପାଠ ପଢୁଥିବା ବେଳେ କୋଡ଼ିଂ ମଧ୍ୟ ପଢିବା ଆରମ୍ଭ କରିଥିଲେ।
ମାତ୍ର 6 ବର୍ଷ ବୟସରେ ସେ 150 ମୋବାଇଲ ଆପ୍ ତିଆରି କରି ସମସ୍ତଙ୍କୁ ବିସ୍ମିତ କରିଥିଲେ। ଯାହା ପରେ ତାଙ୍କୁ ବିଶ୍ୱସ୍ତରୀୟ ବିଭିନ୍ନ ସଂସ୍ଥାମାନେ ପୁରସ୍କୃତ କରିଛନ୍ତି । ତେବେ ଏଥିପାଇଁ ତାଙ୍କ ବାପା, ମା' ସହଯୋଗ ଯୋଗାଇ ଦେଇଥିବାବେଳେ ଆବଶ୍ୟକୀୟ ସବୁ ସୁବିଧା ମଧ୍ୟ ଯୋଗାଇ ଦେଇଛନ୍ତି । ଭବିଷ୍ଯତରେ ଜଣେ ସଫଳ ବୈଜ୍ଞାନିକ ହୋଇ ସମାଜର ଉପକାର କରିବା ସହ, ଦେଶ ପାଇଁ ଗର୍ବ ଆଣି ଦେଉ ବୋଲି ସେମାନେ କହିଛନ୍ତି ।
ଏତେ ଅଳ୍ପ ବୟସର ଏହି ଉପଲବ୍ଧି ପାଇବାରେ ଭେଙ୍କଟ ପ୍ରଥମ ଛାତ୍ର । ଏଥିପାଇଁ ସେ ଦିନକୁ ପ୍ରାୟ 7 ଘଣ୍ଟା ପରିଶ୍ରମ କରୁଥିବା ବେଳେ ତାଙ୍କ ବାପା ମା ଓ ଶିକ୍ଷକ ମାନେ ତାଙ୍କୁ ସହଯୋଗ କରିଥିବା କହିଛନ୍ତି । ଗତ ନଭେମ୍ବର ମାସରେ ଏହି ପରୀକ୍ଷା ସେ ଦେଇଥିଲେ । ଏବେ ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ଯେଉଁଥିରେ ପାଞ୍ଚଟି କମ୍ପ୍ୟୁଟର ଭାଷାରେ ନିଜର ପାରଦର୍ଶିତା ପ୍ରମାଣ ଦେଇ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପିଲାଟି ବେଳୁ କୁନି କମ୍ପ୍ୟୁଟର ମାଷ୍ଟର ସାଜିଥିବା ରମଣ ଭବିଷ୍ୟତରେ ଜଣେ ମହାକାଶ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ