ବଲାଙ୍ଗୀର: ବଲାଙ୍ଗୀରରେ ଜାନୁଆରୀ 7 ତାରିଖରୁ ଆରମ୍ଭ ହେବାକୁ ଯାଉଛି 15ତମ ସର୍ବଭାରତୀୟ ମଠଖାଇ ନାଟ୍ୟ ମହୋତ୍ସବ । ୫ ଦିନ ଧରି ଚାଲିବ ଏହି ନାଟ୍ୟ ମହୋତ୍ସବ । ତେବେ ଚଳିତ ବର୍ଷ ଏହି ମହୋତ୍ସବରେ କେବଳ ଆଞ୍ଚଳିକ ନାଟକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ସବୁ ବର୍ଷ ବାହାର ବହୁଭାଷୀ ନାଟ ଉପରେ ଅଧିକ ଫୋକସ କରାଯାଇଥିବା ବେଳେ ଆଞ୍ଚଳିକ ଭାଷା ତଥା କୋଶଳୀ ଭାଷାରେ ନାଟକ ଧୀରେଧୀରେ ବନ୍ଦ ହୋଇ ଯାଉଛି । ତେଣୁ ଏଥର କେବଳ କୋଶଳୀ ଭାଷା ଉପରେ ଆଞ୍ଚଳିକ ନାଟକ ପ୍ରଦର୍ଶିତ କରାଯିବ ।
ତେବେ ବହୁଭାଷୀ ନାଟକ ଦ୍ଵାରା ଆଞ୍ଚଳିକ ଭାଷାର ନାଟକ ବହୁଳ ଭାବରେ ପ୍ରଚାର ପ୍ରସାର ହୋଇ ପାରୁନାହିଁ । ଏଥିପାଇଁ ଏଥର କେବଳ ଆଞ୍ଚଳିକ ଭାଷା ଉପରେ ନାଟକ ପରିବେଷଣ କରାଯିବ । ଏଥିସହ ଦିବଙ୍ଗତ ଅଭିନେତା ଓ ଅଭିନେତ୍ରୀଙ୍କ ନାଁରେ ପ୍ରତିଦିନ ମଞ୍ଚକୁ ଉତ୍ସର୍ଗ କରାଯିବ । ସେହିପରି ଅଞ୍ଚଳର ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ସ୍ଥିରୀକୃତ କରାଯାଇଛି । ସେପଟେ ମଠଖାଇ ନାଟ୍ୟ ମହୋତ୍ସବକୁ ସଫଳ କରିବାକୁ ସମସ୍ତେ ଅପିଲ କରିଛନ୍ତି ।
ତେବେ ଏନେଇ ମଠଖାଇ ନାଟ୍ୟ ମହୋତ୍ସବର ଆୟୋଜକ ଭୂମିକା ସଂଗଠନର ସଭାପତି ଚିତ୍ତ ଦାସ କହିଛନ୍ତି ଯେ, ଏଥର କୋଶଳୀ ନାଟକ ଉପରେ ଗୁରୁତ୍ୱ ଦିଆଯାଇଛି । ହଜି ଯାଉଥିବା କୋଶଳୀ ନାଟକ ପରମ୍ପରାକୁ ପୁନର୍ଜୀବିତ କରା ଯିବାର ଉଦ୍ଦେଶ୍ୟ ରହିଛି । ସେହିପରି ଏଥର ପ୍ରତ୍ୟେକ ଦିନ ଦୁଇଟି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦୁଇଟି ନାଟକ ମଞ୍ଚସ୍ଥ ହେବ । ଏଥିସହ ସେମିନାର ଓ ନାଟକ କଳା ଉପରେ ଆଲୋଚନା ମଧ୍ୟ ହେବ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ 'ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ', ସୃଷ୍ଟି କରୁଛି ଶ୍ରୀକ୍ଷେତ୍ରର ଭ୍ରମ
ଏହା ମଧ୍ୟ ପଢନ୍ତୁ - ଗୋନାସିକା କେନ୍ଦୁଝର ମହୋତ୍ସବ ଉଦଘାଟିତ, ମଣ୍ଟୁ ଛୁରୀଆ ଗୀତରେ ଝୁମିଲେ ଦର୍ଶକ
ସେହିପରି ଅନ୍ୟପଟେ ଭୂମିକା ସଂଗଠନର ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି, "ଏଥର ସବୁ ବର୍ଷ ପରି ମଠଖାଇ ନାଟ୍ୟ ମହୋତ୍ସବ ହେବ। ହେଲେ ଏଥର କିଛି ବ୍ୟତିକ୍ରମ ରହିଛି। ବହୁଭାଷୀ ନାଟକ ପରିବର୍ତ୍ତେ ଏଠି ଏଥର କୋଶଳୀ ଭାଷାର ନାଟକ ପାଞ୍ଚ ଦିନ ଧରି ମଞ୍ଚସ୍ଥ ହେବ। ତେବେ ଏହି ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କୁ ସେ ନିବେଦନ କରିଛନ୍ତି ।"
ଇଟିଭି ଭାରତ, ବଲାଙ୍ଗୀର