ବଲାଙ୍ଗୀର: ରାଜା ଅମଳର ସରକାରୀ ପ୍ରେସ ଏବେ ଇତିହାସର ପୃଷ୍ଠାରେ ସୀମିତ ରହିଯାଇଛି । ଦିନ ଥିଲା ଏହି ପ୍ରେସ ରାଜ୍ୟ ସରକାରଙ୍କ ଆବଶ୍ୟକ ଥିବା ସବୁ ନଥି ପତ୍ର ମୁଦ୍ରଣ କରୁଥିଲା । ତେବେ 1911 -1912 ମସିହାରେ ଏହି ପ୍ରେସର ନିର୍ମାଣ ଆରମ୍ଭ ହୋଇଥିଲା । ଏବଂ 1913 ମସିହାରେ ଏହି ପ୍ରେସ ସେବା ପାଇଁ ପ୍ରସ୍ତୁତ ହୋଇଥିଲା।
ସେ ସମୟରେ ଅର୍ଥାତ ରାଜା ଅମଳରେ ତଥା ଇଂରେଜ ଶାସନ ସମୟରେ ଏହି ପ୍ରେସ ତିଆରି ହୋଇଥିବାବେଳେ ସ୍ବର୍ଗତ ପାଟଣା ମହାରାଜ ପୃଥ୍ବୀ ରାଜ ସିଂ ଦେଓଙ୍କ ବାପା ସ୍ବର୍ଗତ ଦଳ ଗଞ୍ଜନଙ୍କ ନାଁରେ ଏହା ନାମିତ ହୋଇ ଦଳ ଗଞ୍ଜନ ସରକାରୀ ପ୍ରେସ ବୋଲି ଜଣା ଯାଇଥିଲା। ଏବଂ ସେତେବେଳେ 60 କର୍ମଚାରୀଙ୍କ ସହ ଏହି ପ୍ରେସ ସରକାରଙ୍କ ପାଇଁ ଦରକାର ପଡୁଥିବା ସବୁ ନଥି, ପତ୍ର, ମୁଦ୍ରଣ କରି ଆସୁଥିଲା।
ସେହିପରି ସେ ସମୟରେ ଉପଲବ୍ଧ ଥିବା ଆଧୁନିକ ମେସିନ ସବୁ ଏଠି ଲାଗି ଥିବାବେଳେ ଏଥିରେ ଉତ୍କୃଷ୍ଟ ମାନର ମୁଦ୍ରଣ ହେଉଥିଲା। ଏବଂ ଏହାର ଅବଦାନରେ ସାରା ସରକାରୀ କାମ ଆଗକୁ ବଢ଼ୁଥିଲା। ହେଲେ ବର୍ତ୍ତମାନ ସେହି ସ୍ବର୍ଣ୍ଣିମ ଅଧ୍ୟାୟ କେବଳ ଇତିହାସ ପୃଷ୍ଠାରେ ସୀମିତ ରହିଛି। ଏହି ଦଳ ଗଞ୍ଜନ ପ୍ରେସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଇତିହାସର ମୁକ ସାକ୍ଷୀ ହୋଇରହିଛି।
ଏହି ପ୍ରେସରେ ବର୍ତ୍ତମାନ 8 ଜଣ କର୍ମଚାରୀ ଥିବାବେଳେ ଏଡିଟର, ଚେକର ଓ ପ୍ରିଣ୍ଟର ଭଳି ସବୁ ପୋଷ୍ଟ ଖାଲି ପଡ଼ିଛି । ସେହିପରି ରାଜା ଅମଳରେ ତିଆରି ହୋଇଥିବା ଏହାର ଗୃହ ସବୁ ଏବେ ବିପଦ ସଙ୍କୁଳ ଅବସ୍ଥାରେ ଥିବାବେଳେ ମୂଷା, ଉଇ ଓ ବର୍ଷା ପାଣି ଏହା ପାଇଁ ଅସୁବିଧା ସୃଷ୍ଟି କରିଛି। ଏପରିକି କର୍ମଚାରୀଙ୍କ ପାଇଁ ସେ ସମୟରେ ତିଆରି ହୋଇଥିବା ବଙ୍ଗଳା ସବୁ ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
ତେବେ ଏସବୁର ପୁନରୁଦ୍ଧାର ଆବଶ୍ୟକ ରହିଛି। ସେହିପରି ବର୍ତ୍ତମାନ କେବଳ ଏକ କାଗଜ କଟିଂ ମେସିନ ଥିବାବେଳେ ଆବଶ୍ୟକୀୟ ଅଫସେଟ ମେସିନ କିମ୍ବା ଫର କେ ପ୍ରିଣ୍ଟର ଆବଶ୍ୟକ ରହିଛି। ସରକାର ଏହି ପ୍ରେସର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଲେ ନିଜେ ସରକାର ହିଁ ଫାଇଦାରେ ରହିବେ ଏବଂ ଯୁବକ ଚାକିରୀ ପାଇବା ସହ ଲୋକଙ୍କ ବହୁମୂଲ୍ୟ ଅର୍ଥ ଖର୍ଚ୍ଚ ମଧ୍ୟ ସରକାର ବଞ୍ଚାଇ ପାରିବେ ବୋଲି ମତ ପ୍ରକାଶ ପାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ