ବଲାଙ୍ଗୀର: ବିଦେଶରେ ରହିଲେ ମଧ୍ୟ ଭିଟାମାଟିକୁ ଭୁଲିନାହାନ୍ତି ସେ । ମହାମାରୀ କୋରୋନା ସହ ସାରା ବିଶ୍ବ ଲଢୁଥିବାବେଳେ ଜନ୍ମମାଟି ଅସୁବିଧାରେ ଥିବା ଜାଣି ତାଙ୍କ ହୃଦୟ କାନ୍ଦିଉଠିଛି । ଦୂରରେ ଥିଲେ ମଧ୍ୟ ନିଜ ଜନ୍ମ ମାଟିର ସେବା ପାଇଁ ଅକ୍ସିଜେନ କନସେନଟ୍ରେଟର ପଠାଇ ହୃଦୟ ଜିତିଛନ୍ତି ଅଷ୍ଟ୍ରେଲିଆରେ କାର୍ଯ୍ୟରତ ଓଡିଆ ଡ଼ାକ୍ତର ଚିତ୍ତ ରଞ୍ଜନ ଯୋଶୀ ।
ଚିତ୍ତରଞ୍ଜନ ସେଠାରେ ଜଣେ ଶିଶୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି । କୋରୋନାରେ ପୀଡ଼ିତ ଶିଶୁଙ୍କ ଚିକିତ୍ସା ଜାରି ରଖିଛନ୍ତି । ତେବେ ଭାରତରେ ଭୂତାଣୁର ଭୟାବହତା ବିଷୟରେ ଅବଗତ ଅଛନ୍ତି ଡାକ୍ତର ଚିତ୍ତରଞ୍ଜନ । ନିଜ ଜନ୍ମ ମାଟି ବଲାଙ୍ଗୀରକୁ ମଧ୍ୟ ଭୁଲି ନାହାଁନ୍ତି । ନିଜ ଉଦ୍ୟମରେ 10 ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ 15ଟି ଅକ୍ସିଜେନ କନସେନଟ୍ରେଟର ଅଷ୍ଟ୍ରେଲିଆରୁ ପଠାଇଛନ୍ତି । ଚିତ୍ତ ରଞ୍ଜନ ପଠାଇଥିବା କନ୍ସେଟ୍ରେଟର ଗୁଡିକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି ।
ଡ଼ାକ୍ତର ଚିତ୍ତ ରଞ୍ଜନ ଯୋଶୀଙ୍କ ଏହି ମହତ୍ କାମ ପାଇଁ ନିଜେ ବଲାଙ୍ଗୀର ଜିଲ୍ଲାପାଳ ଓ ସିଡିଏମଓ ଧନ୍ୟବାଦ୍ ଜଣାଇଛନ୍ତି । ଏପରି କଠିନ ସମୟରେ ଏହି ଉପକରଣ ଲୋକଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ସହାୟକ ହେବ ବୋଲି ସେ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ