ବଲାଙ୍ଗୀର: କୋରୋନା ଲଢେଇରେ ଏମାନେ ଜଣେ ଜଣେ ଯୋଦ୍ଧା । ଯେଉଁମାନେ ନିଜ ଜୀବନକୁ ପାଣି ଛଡାଇ ଅନ୍ୟର ସେବାରେ ନିୟୋଜିତ ହୋଇଛନ୍ତି । ହେଲେ ଏମାନଙ୍କ ସୁରକ୍ଷା ଭୁଲି ଯାଇଛନ୍ତି ସରକାର । କେବଳ ଗୋଟିଏ ମାସ୍କ ଦେଇ ନିଜ କର୍ତ୍ତବ୍ୟକୁ ପୁରା କରିଦେଇଛି ପ୍ରଶାସନ ।
ସବୁଠି ସରକାର ତ ପହଞ୍ଚି ପାରିବେ ନାହିଁ । ସେଥିପାଇଁ ସବୁ ପଞ୍ଚାୟତର ଦାୟିତ୍ବ ଆଶାକର୍ମୀଙ୍କ ଉପରେ । ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ନିଜ ଜୀବନକୁ ବାଜିରେ ଲଗାଇଛନ୍ତି ଏମାନେ । ଘର ଘର ବୁଲି ଲୋକଙ୍କୁ କରୁଛନ୍ତି ସଚେତନ । ଏହା ସାଙ୍ଗକୁ ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବାକୁ ଦେଉଛନ୍ତି ପରାମର୍ଶ । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଶହ ଶହ ଆଶାକର୍ମୀ ଗାଁ ଗାଁ ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ତା ସାଙ୍ଗକୁ ଏମାନେ ସଙ୍ଗରୋଧ ସ୍ଥାନର ମଧ୍ୟ ତଦାରଖ କରୁଛନ୍ତି ।
ହେଲେ ଏହି ଯୋଦ୍ଧାଙ୍କ ଜୀବନ ଏବେ ମୃତ୍ୟୁ ମୁଖକୁ ଠେଲି ହୋଇଯାଇଛନ୍ତି । କାରଣ ଏମାନଙ୍କ ହାତରେ ନା ଗ୍ଲୋଭସ ଅଛି ନା କୌଣସି ସୁରକ୍ଷା ଉପକରଣ। କେବଳ ମୁହଁରେ ଖଣ୍ଡିଏ ମାସ୍କ ଟିଏ। ସେପଟେ ପ୍ରତିଦିନ ଶହ ଶହ ଲୋକଙ୍କ ସିଧାସଳଖ ସଂସ୍ପର୍ଶ ଆସୁଥିବା ବେଳେ ସଂକ୍ରମଣର ଭୟ ରହୁଛି । ଖରା, ତରା ଓ ସଂକ୍ରମଣକୁ ଖାତିର ନକରି ନିଜ କର୍ତ୍ତବ୍ୟ ପାଳନ କରୁଥିବାବେଳେ, ଏହି ଆଶାକର୍ମୀଙ୍କ ଦରମା ମାତ୍ର 3 ହଜାର ଟଙ୍କା । ସେପଟେ, ଏହି ଯୋଦ୍ଧାଙ୍କୁ କେବଳ ମାସ୍କ ଓ ସାନିଟାଇଜର ଦେଇ ନିଜ କର୍ତ୍ତବ୍ୟ ସାରି ଦେଇଛି ପ୍ରଶାସନ ।
ରାଜ୍ୟରେ ମୋଟ 47 ହଜାର ଆଶା କର୍ମୀ କୋରୋନା ପରିସ୍ଥିତିର ମୁକାବିଲା କରୁଛନ୍ତି । ଏଥିରୁ 199 ଜଣ ବଲାଙ୍ଗୀର ଜିଲ୍ଲାର । ତେବେ ଯେଉଁଠି ସରକାର ଏମାନଙ୍କୁ ଜୀବିତ ଅବସ୍ଥାରେ ସୁରକ୍ଷା ଯୋଗାଇ ପାରୁନାହାଁନ୍ତି, ସେଠି ମୃତ୍ୟୁବରଣ କଲେ 50 ଲକ୍ଷ ଦେବେ ବୋଲି ଘୋଷଣା କରିଛନ୍ତି । ଯାହା ଅତ୍ୟନ୍ତ ନିହାତ ଭାବେ ଚିନ୍ତା କରିବାର ବିଷୟ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ